ଭଦ୍ରକ, (ବାଘୁଆବାର୍ତ୍ତା): ମୋ ପୁଅ ବାବୁଶାନ୍ ହିରୋ ଭଳି ଦେଖିବାକୁ ଆଉ ତମେ ଦେଇଛ ମାତ୍ର ଲକ୍ଷେ ଟଙ୍କାର ଯୌତୁକ। ତମେ ନେଇଯାଅ ତୁମ ଟଙ୍କା ଆଉ ତୁମ ଝିଅକୁ । ଆମର ଦରକାର ୫ଲକ୍ଷ ଟଙ୍କାର ଯୌତୁକ। ଯଦି ୫ଲକ୍ଷ ଟଙ୍କା ନଦେବ ତାହାଲେ ତୁମ ଝିଅକୁ ଆମେ ଜୀବନରୁ ମାରିଦେବୁ ବୋଲି ବାରମ୍ବାର ଧମକ ଦେଉଥିଲେ ମୋ ଝିଅକୁ। ଆଉ ଆଜି ସତକୁ ସତ ମୋ ଝିଅକୁ ଜୀବନରୁ ମାରିଦେଲେ ତା ଶାଶୁ ଘର ଲୋକେ। ଏମିତି ଏକ ଅଭିଯୋଗ ଆସିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ନଳାଙ୍ଗ ଗ୍ରାମର ଅସୀମ ଅଙ୍କିତ ନାୟକ ଙ୍କୁ ବିବାହ କରିଥିବା ପ୍ରିୟଙ୍କା ଦଳେଇଙ୍କ ମା ସଂଯୁଲତା ଦଳେଇ। ଖବରରୁ ପ୍ରକାଶଯେ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଧୀନସ୍ଥ ବରଜଙ୍ଗ ଗ୍ରାମର ଲକ୍ଷ୍ମୀଧର ଦଳେଇଙ୍କ ଝିଅ ପ୍ରିୟଙ୍କା ଦଳେଇ ଗତ ଜୁନ ମାସ ୭ ତାରିଖରେ ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନସ୍ଥ ନଳାଙ୍ଗ ଗ୍ରାମର ଆନନ୍ଦ ଚନ୍ଦ୍ର ନାୟକଙ୍କ ପୁଅ ଅସୀମ ସଂକେତ ନାୟକଙ୍କୁ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ। ତେବେ ବିବାହରେ ନଗଦ ଏକ ଲକ୍ଷ ଟଙ୍କା ଯୌତୁକ ଦେବା ସହ ସମସ୍ତ ଆସବାବ ଜିନିଷ ପତ୍ର ଏବଂ ସୁନା ଗହଣା ଦେଇଥିଲେ। ବିବାହର ୧୫ଦିନ ପରେ ମୋ ଝିଅକୁ ଅଧିକ ଯୌତୁକ ଦାବି କରି ବହୁ ମାନସିକ ଏବଂ ଶାରୀରିକ ନିର୍ୟାତନା ଦେଉଥିଲେ ବୋଲି କହିଛନ୍ତି ମୃତ ପ୍ରିୟଙ୍କା ଙ୍କ ମା ସଂଜୁଲତା ଦଳେଇ। ତେବେ ଗତକାଲି ସକାଳ ୯ଟା ସମୟରେ ଝିଅ ସହ ଫୋନରେ ଭଲରେ କଥା ହେଇ ରଖିଥିବା ପରେ ଦିନ ୧୧ଟା ବେଳେ ପୁଣି ଫୋନ୍ କରିବାରୁ ଝିଅ ଫୋନ୍ ଉଠେଇନଥିଲା। ଏବଂ ପରେ ମୋ ଜ୍ବାଇଁ ଫୋନ୍ କରି ମୋତେ ମେଡ଼ିକାଲକୁ ଆସିବାକୁ କହିଲେ। ଆଉ ମୁଁ ମେଡ଼ିକାଲ ଆସି ଦେଖିବାରୁ ମୋ ଝିଅର ମୃତ ଦେହ ସୋଇଥିଲା। ଆଉ ଏସବୁ ପାଇଁ ମୋ ଜ୍ବାଇଁ, ସମୁଦୀ, ସମୁଦୁଣୀ ଏବଂ ପରିବାରର ଅନ୍ୟ ସବୁ ସଦସ୍ୟ ଏଥିରେ ସମ୍ପୂକ୍ତି ଅଛନ୍ତି । ଏନେଇ ଭଦ୍ରକ ଗ୍ରାମାଂଚଳ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ୪ଜଣକୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ।





