ଚନ୍ଦ୍ରଶେଖରପୁର, (ବାଘୁଆବାର୍ତ୍ତା): ଶୈଳଶ୍ରୀ ବିହାରର ଏକ ଆପାର୍ଟମେଣ୍ଟରେ ରହୁଥିବା ଜଣେ ମହିଳା ସଫ୍ଟୱେର ଇଞ୍ଜିନିୟର ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ସେ ହେଲେ ଶ୍ୱେତା ଉତ୍କଳ କୁମାରୀ (୨୬) । ଘର ଭଦ୍ରକରେ ହୋଇଥିବା ବେଳେ ଏଠାରେ ରହି ଏକ ନାମୀ କମ୍ପାନୀରେ କାମ କରୁଥିଲେ । ପ୍ରାଥମିକ ତଦନ୍ତରୁ ଏହା ପ୍ରେମ ପାଇଁ ଆତ୍ମହତ୍ୟା ହୋଇଥିବା ପୁଲିସ ସନ୍ଦେହ କରୁଛି । ତଦନ୍ତ ସମୟରେ ପୁଲିସ ଶ୍ୱେତାଙ୍କ ଆପାର୍ଟମେଣ୍ଟ ଫ୍ଲାଟ୍ରୁ କିଛି ଡାଏରୀ ଜବତ କରିଛି । ସେଥିରେ ଜଣେ ଯୁବକଙ୍କ ନାଁ ରହିଥିବାରୁ ପୁଲିସ ଉକ୍ତ ଯୁବକଙ୍କୁ ପଚରାଉଚରା କରିଛି । ଏକ ଅପମୃତ୍ୟୁ ମମଲା ରୁଜୁ କରି କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ପୁଲିସ ତଦନ୍ତ ଆରମ୍ଭ କରିଛି । ଶ୍ୱେତା ଉକ୍ତ ଆପାର୍ଟମେଣ୍ଟରେ ତାଙ୍କର ତିନି ସାଙ୍ଗଙ୍କ ସହ ରହୁଥିଲେ । ଜନ୍ମାଷ୍ଟମୀ ଥିବାରୁ ସାଙ୍ଗମାନେ ଛୁଟିରେ ଯାଇଥିଲେ । ଶ୍ୱେତା ଏକା ଥିଲେ । ଗତକାଲି ଶ୍ୱେତାଙ୍କ ଫୋନ୍ ସୁଇଚ୍ ଅଫ୍ ଆସିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ । କୌଣସି ପତ୍ତା ନ ମିଳିବାରୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ତାଙ୍କ ମୋବାଇଲ ଟ୍ରାକ୍ କରିବା ପରେ ଜଣାପଡିଥିଲା ଆପାର୍ଟମେଣ୍ଟ ଭିତରେ ପୂର୍ବରୁ ସୁଇଚ୍ ଅଫ ରହିଥିଲା । ସେ ରହୁଥିବା ରୁମର କବାଟ ତାଡିବା ପରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଶ୍ୱେତାଙ୍କ ମୃତଦେହ ମିଳିଥିଲା । କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ହେବା ପରେ ତାଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି ପୁଲିସ ।





