ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାସ୍ତରୀୟ କରୋନା ସଚେତନତା ବୈଠକ ଡିଆରଡିଏ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବିଧାନଚନ୍ଦ୍ର ରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶ୍ୱେତ କୁମାର ମହାପାତ୍ର ପ୍ରମୂଖ ଯୋଗ ଦେଇଥିଲେ । ସଚେତନତା ଦ୍ୱାରା କରୋନା ଭାଇରସ୍ରୁ ମୁକ୍ତି ମିଳିବା ସହିତ ଗ୍ରାମାଞ୍ଚଳ ଜନସାଧାରଣଙ୍କୁ ଏହି ରୋଗ ସମ୍ବନ୍ଧରେ ବିସଦ୍ଭାବେ ଜଚ୍ଚାଇବା ପାଇଁ ଆଜି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଜିଲ୍ଲାର ସମସ୍ତ ପଂଚାୟତ ନିର୍ବାହୀ ଅଧିକାରୀ ଯୋଗ ଦେଇଥିଲେ । ଏହି ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ସାବୁନରେ ବାରମ୍ବାର ହାତ ଧୋଇବା, କାଶ ଛିଙ୍କ ସମୟରେ ନାକ ଏବଂ ମୁହଁକୁ ରୁମାଲ କିମ୍ବା ଟିସୁ କାଗଜ ଦ୍ୱାରା ଘୋଡ଼ାଇ ରଖିବା । ଜ୍ୱର, କାଶ କିମ୍ବା ଶ୍ୱାସ କ୍ରିୟାରେ କଷ୍ଟ ଅନୁଭବ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ପାଇଁ ମତ ପ୍ରକାଶ ପାଇଥିଲା । ଏତଦ୍ ବ୍ୟତିତ ଜନଗହଳୀ ସ୍ଥାନଠାରୁ ଦୂରେଇ ରହିବା, ସର୍ବସାଧାରଣ ସ୍ଥାନରେ ଛେପ, ଖଙ୍କାର ନପକାଇବା, ଆଖି, ନାକ ଏବଂ ପାଟିକୁ ସ୍ପର୍ଶ ନକରିବା ପାଇଁ ଲୋକଙ୍କୁ ସଚେତନ କରାଇବାକୁ ବୈଠଳରେ ନିର୍ଦ୍ଦେଶ ଦିଆଯାଇଚି । ମୁଖ୍ୟତଃ ଅନ୍ୟରାଜ୍ୟ ଏବଂ ଦେଶ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖି ତୁରନ୍ତ ପ୍ରଶାସନକୁ ଖବର ଦେବାକୁ ବୈଠଳରେ ଆଲୋଚନା କରାଯାଇଛି । ଏଥିସହିତ ଯେଉଁ ଶ୍ରମିକମାନେ ବାହାର ରାଜ୍ୟକୁ ଯାଉଛନ୍ତି, ସେମାନଙ୍କୁ ନାମ ପଞ୍ଜିକରଣ କରି ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିଜର ଘର ହେଉ କିମ୍ବା କାର୍ଯ୍ୟାଳୟ ସଦାସର୍ବଦା ପରିସ୍କାର ଓ ସ୍ୱଚ୍ଛ ରଖିବା ପାଇଂ ପଦକ୍ଷେପ ନେବାକୁୁ କୁହାଯାଇଛି । ଏହି ବୈଠଳରେ ଅନ୍ୟମାନଙ୍କ ମଧ୍ୟରେ ଅନେକ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ ।






