ନୀଳଗିରି, (ବାଘୁଆବାର୍ତ୍ତା): ଛେଳି ଚୋରକୁ କାବୁ କରି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ। ବାଲେଶ୍ଵର ଜିଲ୍ଲା ଗୋପୀନାଥପୁର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସେମାନଙ୍କ ମଧ୍ୟରୁ ଜଣେ ଖସି ଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଗ୍ରାମବାସୀମାନେ ଉତ୍ତମ ମଧ୍ୟମ ଦେଇଛନ୍ତି। ଘଟଣାସ୍ଥଳରେ ନୀଳଗିରି ପୋଲିସ ପହଞ୍ଚି ଛେଳି ଚୋରକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ସୂଚନାନୁଯାୟୀ, ମଙ୍ଗଳବାର ସକାଳୁ ନୀଳଗିରି ଥାନା ଧୋବଶିଳା ପଞ୍ଚାୟତ ଅଧିନ କଣ୍ଟାବଣିଆ ଗ୍ରାମରୁ ଛେଳି ଚୋରି କରି ଦୁଇ ଜଣ ଯୁବକ ଏକ ବାଇକରେ ଦ୍ରୁତଗତିରେ ନୀଳଗିରି ଆଡ଼କୁ ଆସିଥିଲେ। ଏହି ସମୟରେ ଛେଳି ମାଲିକ ରମାକାନ୍ତ ବେହେରା ଓ କିଛି ଅଞ୍ଚଳବାସୀ ତାଙ୍କର ପିଛା କାରି ଡାହାଣୀମରା ଲେବୁଲ କ୍ରସିଂ ପାଖରେ କାବୁ କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ଜଣେ ଖସି ପଳାଇଥିବା ବେଳେ ଆଉ ଜଣଙ୍କୁ କାବୁ କରିଥିଲେ ଅଞ୍ଚଳବାସୀ। ଯୁବକ ଜଣକ ଈଶ୍ୱରପୁର ଅଞ୍ଚଳର ମରେଇ ଗାଁର ପ୍ରଦୀପ ମହାଳିକ। ତାଙ୍କ ପେଟରେ ଗଭୀର ଆଘାତ ଲାଗିଛି। ଗ୍ରାମବାସୀମାନେ ବାଇକ୍ଟିକୁ ଭାଙ୍ଗି ଚୁରମାର କରିଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ନୀଳଗିରି ପୋଲିସ ପହଞ୍ଚି ବାଇକ୍ଟିକୁ ଜବତ କରି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ସେପଟେ ଫେରାର୍ ହୋଇଥିବା ଯୁବକ ଜଣଙ୍କ ବିଦୁ ଅଞ୍ଚଲର ନରହରି ଓରଫ ପପୁ ବୋଲି ଜଣାପଡ଼ିଛି।





