ଢେଙ୍କାନାଳ, (ବାଘୁଆବାର୍ତ୍ତା): ଶୋଇବା ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଢେଙ୍କାନାଳ ସହରର କାଠଗଡ଼ା ସାହିରେ ଜଣେ ମହିଳା ଫ୍ୟାନରେ ପିନ୍ଧା ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ଟାଉନ ଥାନା ପୁଲିସ ଢେଙ୍କାନାଳ ସହରର କାଠଗଡ଼ା ନୂଆ ସାହିରେ ପହଞ୍ଚି ମୃତଦେହକୁ ଜବତ କରିଛି। ମୃତ ମହିଳା ଜଣଙ୍କ କାଠଗଡ଼ା ନୂଆସାହିର ରବି ସାହୁଙ୍କ ପତ୍ନୀ ଗୌରୀ ସାହୁ ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ଢେଙ୍କାନାଳ ସହର କାଠଗଡ଼ା ସାହିର ରବି ସାହୁ ଆଜି ସକାଳେ ଦୋକାନକୁ ଯିବା ପରେ ତାଙ୍କ ପତ୍ନୀ ଗୌରୀ ସାହୁ ଆତ୍ମହତ୍ୟା କରିଛନ୍ତି। ତେବେ ଗୌରୀଙ୍କ ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ସେ କିଛି ଦିନ ତଳେ ପ୍ରେମିକ ସହ ଫେରାର୍ ହୋଇଯାଇଥିଲେ। ମାତ୍ର ବାପଘର ଲୋକେ ଓ ସ୍ଵାମୀ ବୁଝାସୁଝା କରିବା ପରେ ସେ ଫେରି ଆସିଥିଲେ। ତେଣୁ ଲୋକଲଜ୍ଜ୍ୟା ହେଉ କିମ୍ଵା ପାରିବାରିକ ତିକ୍ତତା ତାଙ୍କ ମୃତ୍ୟୁର କାରଣ ବୋଲି ସନ୍ଦେହ କରାଯାଉଛି।





