ଚାନ୍ଦବାଲି, (ବାଘୁଆବାର୍ତ୍ତା): ଦୁଇ ହଜାର ଟଙ୍କା ନଦେବାରୁ ଅଙ୍ଗନବାଡ଼ି କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ୱାର୍ଡ ସଭ୍ୟ। ପ୍ରତି ମାସ ୨ ହଜାର ଟଙ୍କା ଦେଲେ ଅଙ୍ଗନବାଡ଼ି କେନ୍ଦ୍ର ଚଲାଇବୁ ନହେଲେ ମାଡ଼ ମାରି ଗାଁରୁ ତଡ଼ିଦେବାକୁ ଦେଲେ ଧମକ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ପଞ୍ଚାୟତ ପ୍ରତାପପୁର ଅଙ୍ଗନବାଡ଼ି କେନ୍ଦ୍ର-୨ରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନ୍ୟାୟ ଦାବିରେ ଅଙ୍ଗନବାଡ଼ି କର୍ମୀ ଥାନାର ଦ୍ଵାରସ୍ଥ ହୋଇଛନ୍ତି। ସୂଚନାନୁଯାୟୀ, ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ପଞ୍ଚାୟତ ପ୍ରତାପପୁର ଅଙ୍ଗନବାଡ଼ି କେନ୍ଦ୍ର-୨ର ଅଙ୍ଗନବାଡ଼ି କର୍ମୀ ଶୁଚିଳା ମଲ୍ଲିକଙ୍କୁ ସେହି ୱାର୍ଡର ସଭ୍ୟ ୨ ହଜାର ଟଙ୍କା ବଟି ମାଗିଥିଲେ। ହେଲେ ଶୁଚିଳା ସିଧା ସଳଖ ଭାବରେ ପିଲାଙ୍କ ଟଙ୍କା ଦେବାକୁ ମନା କରିଦେବାରୁ ୱାର୍ଡ ସଭ୍ୟ ଦୀପକ ଦାସ ଉତ୍କ୍ଷିପ୍ତ ହୋଇ ଶୁଚିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଛନ୍ତି। ଏହି ସମୟରେ ଗାଁର ୨ ଜଣ ବ୍ୟକ୍ତି ଚାଷ କାମ ସାରି ଫେରୁଥିବା ବେଳେ ଶୁଚିଳାଙ୍କୁ ଉଦ୍ଧାର କରିଛନ୍ତି। ତେବେ ଅଙ୍ଗନବାଡ଼ି କର୍ମୀଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ଚାନ୍ଦବାଲି ଥାନାରେ ସମ୍ପୃକ୍ତ ୱାର୍ଡ ସଭ୍ୟଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ତେବେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ଜଣେ ଲୋକ ପ୍ରତିନିଧି ଏଭଳି ଭାବରେ ଗାଁ ଦାଣ୍ଡରେ ପିଟିବା ଘଟଣାକୁ ବୁଦ୍ଧିଜିବୀ ମହଲରେ କଡ଼ା ସମାଲୋଚନା କରାଯାଇଛି।





