ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସହରରେ କଳା ପଲସରର ଆତଙ୍କ । ଦୁବୃତମାନେ ଆସି ମହିଳାଙ୍କ ଠାରୁ ଲୁଟି ନେଲେ ସୁନା ଚେନ୍ । ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ୧୨ନଂ ୱାର୍ଡର କଲେଜ୍ ରୋଡରେ । ସୂଚନାନୁସାରେ, ନୟାଗଡ଼ ପୌର ପରିଷଦ ଅଞ୍ଚଳ ଅନ୍ତର୍ଗତ ୧୬ନଂ ୱାର୍ଡ ଶିବାଜୀ ନଗରରେ ବସବାସ କରୁଥିବା ରଜତ କୁମାର ସୁବୁଦ୍ଧିଙ୍କ ଧର୍ମପତ୍ନୀ ରଶ୍ମିତା ସୁବୁଦ୍ଧି କୌଣସି କାମରେ ସୋମବାର ସନ୍ଧ୍ୟାରେ କଲେଜ୍ ରୋଡ ଯାଇଥିଲେ । କଲେଜ୍ ରୋଡ଼ରେ ଚାଲି ଚାଲି ଯାଉଥିବା ସମୟରେ କଲେଜ୍ ରୋଡ୍ ପେଟ୍ରୋଲ ପମ୍ପ ନିକଟରେ କିଛି ଦୃବୁତ କଳାପଲସରରେ ଆସି ବେକରୁ ସୁନା ଚେନ୍ ଞ୍ଝାମ୍ପି ନେଇଥିଲେ । ମହିଳା ଜଣଙ୍କ ପାଟି କରିଥିଲେ ମଧ୍ୟ ଦୁବୃତମାନେ କ୍ଷଣିକରେ ଗାଡ଼ି ଧରି ଚମ୍ପଟ ମାରିଥିଲେ । ଏନେଇ ନୟାଗଡ଼ ଟାଉନ୍ ଥାନାରେ ମହିଳା ଜଣଙ୍କ ଲିଖିତ ଅଭିଯୋଗ କରିବା ପରେ ତତପର ହୋଇ ଉଠିଛି ନୟାଗଡ଼ ପୋଲିସ୍ । ଘଟଣାସ୍ଥଳରେ ପହଞ୍ଚି କଲେଜ ରୋଡରେ ଲାଗିଥିବା ବିଭିନ୍ନ ଦୋକାନର ସିସିଟିଭି ଯାଞ୍ଚ କରୁଥିବା ଜଣାପଡିଛି ।





