ପୁରୀ, (ବାଘୁଆବାର୍ତ୍ତା): ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିଲେ ପରିବାର ଲୋକ। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ। ଏପରି ଅଭାବନୀୟ ଘଟଣା ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ କାଦୁଆ ଗୋପବନ୍ଧୁ ଆଶ୍ରମ ନିକଟରେ ଘଟିଛି। ପୀଡିତା ଜଣକ ହେଲେ ଗୋପବନ୍ଧୁ ଆଶ୍ରମ ନିକଟ ରାସ୍ତା କଡ଼ରେ ରହୁଥିବା ବଳଙ୍ଗା ଅଞ୍ଚଳର ରୂପାଲି ଗୋଛାୟତ । ରାସ୍ତା କଡ଼ରେ ଅସ୍ଥାୟୀ ଘର କରି ରୂପାଲି ସ୍ବାମୀ ପ୍ରଶାନ୍ତଙ୍କ ସହ ରହୁଛନ୍ତି । ଜଣେ ମଠ ମହନ୍ତ କିଛି ଜମି ତାଙ୍କୁ ଦାନ କରିଥିବା ବେଳେ ଏହି ଦମ୍ପତ୍ତି ସେଠାରେ ଗୃହ ନିର୍ମାଣ କରିବା ପାଇଁ ଯୋଜନା କରୁଥିଲେ। କିନ୍ତୁ ସ୍ଥାନୀୟ ତଳପାଟଣା ଗ୍ରାମର ରଞ୍ଜିତ ନାୟକ, ତାଙ୍କ ପତ୍ନୀ ପଦ୍ମାବତୀ ନାୟକ ଓ ତାଙ୍କ ଦୁଇ ଝିଅ ମିଶି ଗତ ୨ ତାରିଖରେ ଏହି ଜମିକୁ ଅକ୍ତିଆର କରିବାକୁ ଉଦ୍ୟମ କରି ରୂପାଲିଙ୍କ ସହ ଝଗଡା କରି ତାଙ୍କୁ ଉଲଗ୍ନ କରି ମାଡ ମାରିଥିଲେ । ଏନେଇ ରୂପାଲି ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ମାମଲା ରୁଜୁ କରିନଥିଲା । ଏମିତିକି ନ୍ୟାୟ ପାଇଁ ଏସପିଙ୍କ ନିକଟ ଦ୍ବାରସ୍ଥ ହୋଇଥିଲେ ରୂପାଲି । ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଥାନା ଅଧିକାରୀ ଅଣଦେଖା କରିଥିବାରୁ ତାଙ୍କ ଉପରେ ଅତିରିକ୍ତ ଏସପି ବିଗିଡିଥିଲେ। ଘଟଣାରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଅତିରିକ୍ତ ଏସପି ସତ୍ୟବାଦୀ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।





