ପାଟଣା, (ବାଘୁଆବାର୍ତ୍ତା): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ପାଟଣା ବଜାରରେ ଦିନ ଦ୍ୱିପ୍ରହରେ ଲୁଟ୍ ହୋଇଛି। ବାଇକର ଡିକି ଭାଙ୍ଗି ୨ଜଣ ଦୁର୍ବୃତ୍ତ ୩୫ ହଜାର ଟଙ୍କାର ସୁନା ହାର ସହିତ ୫ ହଜାର ଟଙ୍କା ଲୁଟି ନେଇଛନ୍ତି। ପାଟଣା ଥାନା ବଡ଼ ନୂଆଗାଁର ଦମ୍ପତି କେଶବ ବେହେରା ଓ ଶୁଶିଳା ବେହେରା ପାଟଣା ବଜାରରେ ଥିବା ପ୍ରମିଳା ଗହଣା ଦୋକାନରୁ ସୁନା ଚେନ୍ କିଣିଥିଲେ। ଏହାପରେ ଗୋଟିଏ ପାନ ଦୋକାନ ଆଗରେ ଗାଡ଼ିକୁ ରଖି ପାନ କିଣିବା ସମୟରେ ୨ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି କେଶବଙ୍କ ବାଇକର ଡିକି ଭାଙ୍ଗି ଏପରି କାଣ୍ଡ ଭିଆଇଛନ୍ତି। ଲୁଟ୍ ପରେ ପାଟଣା ପୋଲିସ ତଦନ୍ତ ଆରମ୍ଭ କରି ଲୁଟେରାଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି।ପାଟଣା ଥାନା ଅଞ୍ଚଳରେ ବାରମ୍ବାର ଚୋରୀ ଡକାୟତି ହେଉଥିଲେ ମଧ୍ୟ ଏବେ ସୁଦ୍ଧା କୌଣସି ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ ସଫଳ ହୋଇପାରୁ ନାହିଁ। ଫଳରେ ଲୁଟେରାମାନେ ପୋଲିସକୁ ଚ୍ୟାଲେଞ୍ଜ କରି ଦିନ ସ୍ପଷ୍ଟ ଦିବାଲୋକରେ ଏପରି ଅପରାଧ ଘଟାଉଛନ୍ତି।





