କଟକ/ପାରାଦୀପ, (ବାଘୁଆବାର୍ତ୍ତା):ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘର ଓ ଅଫିସ୍ରେ ଆଜି ସକାଳୁ ପଶିଛି ସିବିଆଇ ଟିମ୍ । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ଟିମ୍ ଚଢ଼ାଉ କରିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଏନେଇ ସିବିଆଇ ତରଫରୁ ଅଫିସିଆଲି କିଛି ଘୋଷଣା ହୋଇ ନ ଥିବା ବେଳେ ୨୫ ଲକ୍ଷର ଏକ ଲାଞ୍ଚ କାରବାର ଅଭିଯୋଗରେ ଏହି ଚଢାଉ ଚାଲିଥିବା ଜଣାଯାଇଛି। କଟକ ଓଡ଼ିଆ ବଜାରସ୍ଥିତ ମହିମା ମିଶ୍ରଙ୍କ ଘର ଓ ଲିଙ୍କ ରୋଡସ୍ଥିତ OSL ଅଫିସରେ ୨ଟି ଟିମ୍ ଚଢ଼ାଉ କରିଛନ୍ତି। ଏହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ଓଡ଼ିଆ ବଜାରସ୍ଥିତ ଘରେ ମହିମା ମିଶ୍ର ଓ ତାଙ୍କ ୨ ପୁଅ ଥିବା ଜଣାଯାଇଛି। ସେହିପରି ପାରାଦୀପର ବଡ଼ପଡ଼ିଆସ୍ଥିତ OSL ଅଫିସ୍ ସମେତ ୪ଟି ସ୍ଥାନରେ ଚଢାଉ ଚାଲିଛି । ପାରାଦୀପର ଏକ ଗେଷ୍ଟ ହାଉସ୍ରେ ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଞ୍ଜିନିୟକ ସରୋଜ ଦାସଙ୍କୁ ପଚରାଉଚରା କରୁଛି ସିବିଆଇ ଟିମ୍। ତାଙ୍କ ସହ ଜଣେ ଠିକାଦାରଙ୍କୁ ମଧ୍ୟ ଜେରା କରୁଛି । ଉଭୟଙ୍କ ନିକଟରୁ ସିବିଆଇ ଅଧିକାରୀ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା ଜଣାଯାଇଛି। ପାରାଦୀପ ସିୱେଜ ସିପିଂ କମ୍ପାନୀ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମହିମା ମିଶ୍ର ଓ ତାଙ୍କ ସହଯୋଗୀ ବସନ୍ତ ବଳଙ୍କୁ ଥାଇଲାଣ୍ଡ ପୋଲିସ୍ ବ୍ୟାଙ୍କକର ଏକ ହୋଟେଲରୁ ୨୦୧ ମସିହା ଡିସେମ୍ବର ମାସରେ ଗିରଫ କରିଥିଲା। ଏହାର ୨ ବର୍ଷ ପରେ ତାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା। ଏବେ ପୁଣି ଥରେ କ’ଣ ପାଇଁ ସିବିଆଇ ମହିମା ମିଶ୍ରଙ୍କ ଘରେ ପଶିଛି ତାହା ଉପରେ ସମସ୍ତଙ୍କ ନଜର।





