ନୟାଗଡ଼, (ବାଘୁଆବାର୍ତ୍ତା) : ଜିଲ୍ଲା ସଂସ୍କୃତି ପରିଷଦ ଏବଂ ନାଟ୍ୟଧାରା ଆୟୋଜିତ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ୨୦୨୦ ଷଷ୍ଠ ଦିବସ ଆଜି ପଠାଣି ସାମନ୍ତ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଆଜିର ସଂନ୍ଧ୍ୟାରେ ଉଦଘାଟକ ଭାବେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ପ୍ରଫେସର ଡ. ସଂଘମିତ୍ରା ମିଶ୍ର ଯୋଗ ଦେଇଥିଲେ । ନୟାଗଡ଼ ମାଟି ନାଟୁଆଙ୍କ ମାଟି ଏବଂ ବର୍ଷସାରା ଏଠାରେ ନାଟ୍ୟ ପରମ୍ପରାକୁ ବଜାୟ ରଖାଯାଇଥିବା ଅତିଥିମାନେ କହିଥିଲେ । ନାଟକ କ୍ଷେତ୍ରରେ ବିଗତ ଦିନରେ ନୟାଗଡ଼ର ବହୁ ସ୍ରଷ୍ଟାଙ୍କ ସୃଷ୍ଟି ତାରା ଭଳି ଜାଜ୍ୱଲ୍ୟମାନ ହେଉଥିବା ବେଳେ ଆଗାମୀ ଦିନରେ ଆହୁରୀ ଅନେକ ସୃଷ୍ଟି ହେବ ବୋଲି ଅତିଥିମାନେ ଆଶା ବ୍ୟକ୍ତ କରିଥିଲେ । ଷଷ୍ଠ ଦିବସରେ ଭୂବନେଶ୍ୱରର ନାଟ୍ୟ ଅନୁଷ୍ଠାନ ନବୀନ ବର୍ଣ୍ଣାଳୀ ଦ୍ୱାରା ପରିବେଷିତ ହୋଇଥିଲା ନାଟକ ‘ବାଇ ଚଢ଼େଇର ଡେଣା’ । ନାଟ୍ୟକାର ନବୀନ କୁମାର ପରିଡ଼ାଙ୍କ ରଚିତ ଓ ନିର୍ଦ୍ଦେଶିତ ଏହି ନାଟକକୁ ଦର୍ଶକ ବେଶ ଉପଭୋଗ କରିଥିବା ବେଳେ ଏହି ନାଟକଟିରେ ଜୀବନର କଥା ବେଶ ବାରି ହୋଇ ପଡ଼ିଥିଲା । ବାଇ ଚଢ଼େଇର ଡେଣାରେ ଯଥେଷ୍ଟ ସାମର୍ଥ ନଥିଲେ ମଧ୍ୟ ତା’ର ଅଦମ୍ୟ ଉତ୍ସାହ ଓ ପ୍ରୟାସ ବଳରେ ସେ ଖଣ୍ଡିଉଡ଼ା ଦେଇ ତାଳଗଛ ଅଗରେ ବସା ବାନ୍ଧିପାରେ । ଏଭଳି ସୁବାର୍ତ୍ତା ଦେଇଥିଲା ନାଟକ ‘ବାଇ ଚଢ଼େଇର ଡେଣା’ । ନାଟ୍ୟଧାରାର ସଭାପତି ପ୍ରମୋଦ ପଟ୍ଟନାୟକ, ନିର୍ଦ୍ଦେଶକ ଡ. ବିଜୟ କୁମାର ଚୈାଧୁରୀ ଏବଂ ସଂପାଦକ ଲକ୍ଷ୍ମୀଧର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ହେଉଥିବା ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୭ ତାରିଖରେ ଉଦଯାପିତ ହେବ ବୋଲି ଜଣାପଡ଼ିଛି ।






