ବ୍ଲକ ଓ ଜିଲ୍ଲା ସ୍ତରୀୟ ପଂଚାୟତରାଜ ଦିବସ ପାଳନ ସମାରୋହ
ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପ୍ରଶାସନ ଓ ନୟାଗଡ଼ ବ୍ଲକ ତରଫରୁ ମିଳିତ ଭାବେ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ପଂଚାୟତରାଜ ଦିବସ ପାଳିତ ହୋଇଯାଇଛି । ନୟାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ସୃଜନ ଗୃହଠାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡ. ପୋମା ଟୁଡୁ ଯୋଗ ଦେଇଥିବା ବେଳେ ଅତିଥି ଭାବରେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ଶ୍ୱେତ କୁମାର ମହାପାତ୍ର, ନୟାଗଡ଼ ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳବେହେରା, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ରାଜୀବ କୁମାର ପାଣିଗ୍ରାହୀ, ଜିଲ୍ଲା ପଂଚାୟତ ଅଧିକାରୀ, ସାମ୍ବାଦିକ ରାମକୃଷ୍ଣ ରଥ ପ୍ରମୂଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଏହି ଦିବସରେ ବିଜୁ ପଟ୍ଟନାୟକଙ୍କ ସାହାସିକତା ତଥା ପାରାଦୀପ ବନ୍ଦର ନିର୍ମାଣ କରିବା ସହିତ କେନ୍ଦ୍ର ସରକାର ବିରୋଧରେ ଲଢ଼େଇ କରିବା ଓ ଓଡ଼ିଶାକୁ ଏକ ପ୍ରଗତୀଶୀଳ ରାଷ୍ଠ୍ରରେ ପରିଣତ କରିବାରେ ତାଙ୍କର ଅବଦାନ ସଂମ୍ପର୍କରେ ବକ୍ତବ୍ୟ ଦେଇଥିଲେ । ଏଥି ସହିତ ରାଜ୍ୟର ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସ୍ୱାବଲମ୍ବୀ ହେବ ସେ ଦିଗରେ ତାଙ୍କର ଯଥେଷ୍ଟ ଅବଦାନ ରହିଥିବା କହିଥିଲେ । ପ୍ରତ୍ୟେକ ନାଗରିକ ପଂଚାୟତ ରାଜ ସହ ସହଯୋଗୀତା ଓ ସହଭାଗିତା ହେବା ପାଇଁ ସମସ୍ତଙ୍କୁ ଜିଲ୍ଲାପାଳ ନିବେଦନ କରିବା ସହ ପ୍ରତ୍ୟେକ ଗାଁକୁ ସହର କରିବାକୁ ଚେଷ୍ଟା କରିବାର ସମୟ ଆସିଛି ବୋଲି କହିଥିଲେ । ଉପଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ଦେଶ ସ୍ୱାଧିନତା ସଂଗ୍ରାମର ଯେଉଁ କେତେଜଣ ଓଡ଼ିଆ ଉଦ୍ୟମ କରିଥିଲେ ସେଥିରେ ବିଜୁ ବାବୁ ଓଡ଼ିଆ ଜାତି ପାଇଁ ଗର୍ବ ଓ ଗୈାରବ ବୋଲି କହିଥିଲେ । ଓଡ଼ିଆ ମାନଙ୍କର ଉନ୍ନତୀ ପାଇଁ ସେ ସଦାସର୍ବଦା ଚେଷ୍ଟା କରୁଥିଲେ । ଗରୀବ ହୋଇ ଜନ୍ମ ହେବା ପାପ ନୁହେଁ ବୋଲି ବିଜୁ ବାବୁ ସଦାସର୍ବଦା କହୁଥିବା ନେଇ ଉପଜିଲ୍ଲାପାଳ ଆଜି ବକ୍ତବ୍ୟରେ ପ୍ରକାଶ କରିଛନ୍ତି । ଏହି ଅବସରରେ ନୟାଗଡ଼ ବ୍ଲକ ଶରଧାପୁର ଗ୍ରାମ ପଂଚାୟତର ପଂଚାୟତ ନିର୍ବାହୀ ଅଧିକାରୀ ନିରଞ୍ଜନ ସାହୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସଠିକ ସମୟରେ କାମ ଶେଷ କରିଥିବାରୁ ପୁରସ୍କୃତ ହୋଇଥିଲେ । ସେହିପରି ଭାବେ ବିରୁଡ଼ା ଗ୍ରାମ ପଂଚାୟତ ଗ୍ରାମ ରୋଜଗାର ସେବକ ପ୍ରମୋଦ କୁମାର ସ୍ୱାଇଁଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରସ୍କୃତ କରାଯାଇଥିଲା ।






