ବୋରିଗୁମ୍ମା, (ବାଘୁଆବାର୍ତ୍ତା): ବନ୍ଦ ଘରୁ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି କୋଟପାଡ଼ ପୋଲିସ। କିଛି ଟଙ୍କା ପାଇଁ ଭଡାଟିଆ ହିଁ ଘର ମାଲିକ ଅନନ୍ତ ଖରାଙ୍କୁ ହତ୍ୟା କରିଥିଲେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବୋରିଗୁମ୍ମା ଏସଡିପିଓ ଏ ନେଇ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ମୃତକ ଅନନ୍ତ ଖରାଙ୍କ ଘରେ ଭଡାରେ ରହୁଥିବା କାଠ ମିସ୍ତ୍ରୀ କିଶୋର ସୁନା ଏବଂ ସହଯୋଗୀ ସୀମାଞ୍ଚଳ ବିନ୍ଧାଣି । ଅନନ୍ତ ଖରା ନିଜେ ଘରେ ଏକୁଟିଆ ରୁହନ୍ତି। ତାଙ୍କ ଘରେ ଦୀର୍ଘଦିନ ହେବ ଭଡାରେ କିଶୋର ସୁନା ଓ ସହଯୋଗୀ ସୀମାଞ୍ଚଳ ବିନ୍ଧାଣି ରହୁଥିଲେ।ତେବେ ଅନନ୍ତ ଖରା ନିଜ ପାଖରେ ଲକ୍ଷାଧିକ ଟଙ୍କା ରଖିଥିବା ଅଭିଯୁକ୍ତ ମାନେ ଜାଣିବାକୁ ପାଇଥିଲେ। ତେଣୁ ଟଙ୍କା ଲୁଟ କରିବା ପାଇଁ ସେମାନେ ଯୋଜନା କରିଥିଲେ। ଘର ମାଲିକ ଅନନ୍ତଙ୍କୁ ହତ୍ୟା କରି ଟଙ୍କା ନେଇ ଚାଲି ଯାଇଥିଲେ। ଗତ ମାସ ୨୯ ତାରିଖରେ କୋଟପାଡ଼ ମିଶନ କମ୍ପାଉଣ୍ଡର ଏକ ବନ୍ଦ କୋଠରୀ ରୁ ଅନନ୍ତ ଖରାଙ୍କ ଗଳିତ ମୃତଦେହ କୋଟପାଡ଼ ପୋଲିସ ଉଦ୍ଧାର କରିଥିଲା । ତେବେ ଭଡାରେ ରହୁଥିବା କିଶୋର ସୁନା ଏବଂ ସହଯୋଗୀ ସୀମାଞ୍ଚଳ ବିନ୍ଧାଣି ଘଟଣା ପରଦା ଠାରୁ ଫେରାର ଥିବାରୁ ସେମାନଙ୍କ ଉପରେ ପୋଲିସ ର ସନ୍ଦେହ ହୋଇଥିଲା। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସୀମାଞ୍ଚଳ ବିନ୍ଧାଣି କୁ ପୋଲିସ ଗିରଫ କରିଥିଲା। ତାଙ୍କ ଠାରୁ ୨ ଲକ୍ଷ ୪୪ହଜାର୪ ଶହ ଟଙ୍କା ପୋଲିସ ଜବତ କରିଛି। ମୁଖ୍ୟ ଅଭିଯୁକ୍ତ କାଠ ମିସ୍ତ୍ରୀଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ବୋରିଗୁମ୍ମା ଏସଡିପିଓ ହରେକୃଷ୍ଣ ମାଝୀ କହିଛନ୍ତି ।





