ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାପାଳଙ୍କ ପରିସରରେ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଡ. ପୋମା ଟୁଡୁ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ ସାହାଣୀ ଉପସ୍ଥିତ ରହି ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିବା ସହ ତାହାକୁ ତୁରନ୍ତ ସମାଧାନ କରିବାକୁ ପ୍ରୟାସ କରିଥିଲେ । ଆଜିର ଅଭିଯୋଗ ଶୁଣାଣି ଶିବିରରେ ୨ଟି ଗ୍ରାମ ସମସ୍ୟା ଓ ୧୬୩ଟି ବ୍ୟକ୍ତିଗତ ସମସ୍ୟାକୁ ମିଶାଇ ମୋଟ ୧୭୮ ଟି ଅଭିଯୋଗକୁ ଶୁଣାଣି କରାଯାଇଥିବା ଜଣାପଡ଼ିଛି । ଅଭିଯୋଗ ଗୁଡ଼ିକ ମଧ୍ୟରେ ୧୧ଟି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୯୪ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ସେହିଭଳି ରେଡକ୍ରସରୁ ୨ଟି ଅଭିଯୋଗ ବିଚାରରେ ୧୭ହଜାର ୫ ଶହ ଟଙ୍କା ପ୍ରଦାନ କରାଯାଇଛି । ଆଜିର ଶୁଣାଣିରେ ୬୬ ଟି ଅଭିଯୋଗର ତତ୍କ୍ଷଣତ ସମାଧାନ କରାଯାଇଥିବା ନେଇ ସୂଚନା ମିଳିଛି । ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ଅନେକ ବିଭାଗୀୟ ଅଧିକାରୀଙ୍କ ସହ ବ୍ଲକ ଓ ପୈାର କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।






