ଭଦ୍ରକ, (ବାଘୁଆବାର୍ତ୍ତା): ବିଭିନ୍ନ ସ୍ଥାନରୁ ଚୋରି କରୁଥିଲା ବୁଲେଟ ଓ ତାହାର ସହଯୋଗୀ । କେବଳ ବାଇକ ନୁହେଁ , ଦୋକାନ ଓ ଘର ଭାଙ୍ଗି ମଧ୍ୟ ଚୋରି କରୁଥିଲେ । ଏବେ ସାତ ଚୋରା ବାଇକ ସହ ଅନ୍ୟାନ୍ୟ ଚୋରି ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ । ତେବେ ୪ ଜଣ ଲୁଟେରାଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ସୂଚନା ଦେଇଛି ପୋଲିସ । ଖବର ଅନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ବୁଲେଟ ସହ ତାର ଗ୍ୟାଙ୍ଗକୁ ଗିରଫ କରିଛି । ବୁଲେଟ ଓରଫ ଯଶୋବନ୍ତ କିସ୍କୁ ଓ ତାର ସହଯୋଗୀ ରାଣୀତାଲ ବଜାରର ଏକ ହୋଟେଲ କବାଟ ଭାଙ୍ଗି ଟିଭି , ଇନଭର୍ଟର ସହ ଅନେକ ସାମଗ୍ରୀ ଚୋରି କରିଥିଲା । ଚୋରିରେ ବୁଲେଟର ସମ୍ପୃକ୍ତି ସନ୍ଦେହ ହେବାରୁ ପୋଲିସ ତାକୁ ପଚରାଉଚୁରା କରିବା ବେଳେ ଚୋରି ସାମଗ୍ରୀ ଉଦ୍ଧାର ହୋଇଥିଲା । ଚୋରିରେ ସହଯୋଗ କରିଥିବା ଜଣେ ନାବାଳକ ସହ ରମ୍ବୀଳା ଅଞ୍ଚଳର ଗୌତମ ପରିଡା , ଉତ୍ତମ ପରିଡାକୁ ମଧ୍ୟ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୭ଟି ଚୋରା ବାଇକ ସହ ଟିଭି , ଇନ୍ଭରଟର ଭଳି ସାମଗ୍ରୀ ସହ ଲୁଟ ପାଇଁ ବ୍ୟବହାର ହେଉଥିବା କଟୁରି , ଲୁହା ରଡ଼ ଓ ଖଣ୍ଡା ଜବତ ହୋଇଛି । ଗିରଫ ଲୁଟେରାଙ୍କ ନାଁରେ ଭଦ୍ରକ , ବାଲେଶ୍ୱର ସହ ବହୁ ଅଞ୍ଚଳରେ ଲୁଟରେ ସାମିଲ ଥିବା ଭଦ୍ରକ ଅତିରିକ୍ତ ଏସପି ସୂଚନା ଦେଇଛନ୍ତି ।





