ଫୁଲବାଣୀ, (ବାଘୁଆବାର୍ତ୍ତା): ସୁଦୂର ସିକନ୍ଦରାବାଦରୁ ଚୋରି କରି ଫୁଲବାଣୀରେ ସୁନା ଚୋର ଧରାପଡ଼ିଛି। ଅଭିଯୁକ୍ତର ପରିଚୟ ହିତ୍ରିକ ପ୍ରଧାନ ଓ ସେ ଚକପାଦ ବ୍ଲକ ଅନ୍ତର୍ଗତ ରୂପଗାଁର ବାସିନ୍ଦା ବୋଲି ଜଣା ପଡ଼ିଛି। ଖବରରୁ ପ୍ରକାଶଯେ, ହିତ୍ରିକ ଆନ୍ଧ୍ର ପ୍ରଦେଶର ସିକନ୍ଦରାବାଦ ମାର୍କେଟ ପୋଲିସ ଷ୍ଟେସନ ଅନ୍ତର୍ଗତ ଜଣେ ମହିଳାଙ୍କ ଘରେ କେହି ନଥିବା ବେଳେ ଘରେ ପଶି ମହିଳାଙ୍କ ବେକରୁ ୬୦ ଗ୍ରାମ୍ର ସୁନାହାର ଓ ଲକେଟ ଯୋର ଜବରଦସ୍ତ ଛଡ଼େଇ ଆଣି ଫେରାର ହୋଇଯାଇଥିଲା। ଏନେଇ ସିକନ୍ଦରାବାଦ ଷ୍ଟେସନ ମାର୍କେଟ ପୋଲିସ ଥାନାରେ ୧୪୨/୨୩-୦୬-୨୦୨୨ କେଶ୍ ନମ୍ୱର ଅନୁସାରେ ଏକ ମାମଲା ରୁଜୁ କରି ସିକନ୍ଦରାବାଦ ପୋଲିସ ଅଭିଯୁକ୍ତକୁ ଖୋଜୁଥିଲା। ହିତ୍ରିକ ସିକନ୍ଦରାବାଦ ଷ୍ଟେସନ ରୋଡରେ ଏକ ଫାଷ୍ଟଫୂଡ଼ ଦୋକାନରେ କାମ କରୁଥିଲେ। ସେଠାରୁ ଚୋରି କରି ଫୁଲବଣୀର ମାଦିକୁନ୍ଦା ଛକ ପାଖରେ ଏକ ସୁନା ଦୋକାନରେ ବିକିବାକୁ ଆସିଥିବାବେଳେ ଦୋକାନୀଙ୍କର ସନ୍ଦେହ ହେଲା। କାରଣ ହିତ୍ରିକ୍ ୫୦ ଗ୍ରାମ ସୁନା ବିକିବାକୁ କହି ୨ ଲକ୍ଷ ଟଙ୍କାର ସୁନାକୁ ଏକ ଲକ୍ଷ ଟଙ୍କା ଦେଲେ ବିକିବି ବୋଲି କହିଥିଲେ। ଦୋକାନୀ ଏନେଇ ଫୁଲବାଣୀ ଟାଉନ ଥାନାଧିକାରୀ ସୁଶାନ୍ତ କୁମାର ସେଠୀଙ୍କୁ ଖବର ଦେଇଥିଲେ। ପୋଲିସ ସଂଗେ ସଂଗେ ଯାଇ ଅଭିଯୁକ୍ତକୁ ଆଣି ଥାନାରେ ପଚରା ଉଚରା କରିଥିଲା। ପରେ ପୋଲିସ ସିକନ୍ଦରାବାଦରୁ ଚୋରି ହୋଇଥିବା ଜାଣି ସେଠାକାର ପୋଲିସ କୁ ଖବର ଦେଇଥିଲା। ରବିବାର ବିଳମ୍ବିତ ରାତିରେ ଆନ୍ଧ୍ର ପୋଲିସ ଆସି ଫୁଲବଣୀରୁ ଅଭିଯୁକ୍ତ ହିତ୍ରିକକୁ ଗିରଫ କରି ନେଇଛନ୍ତି। ଏହି ଘଟଣାରେ ଅନ୍ୟ ଜଣଙ୍କର ସମ୍ପୃକ୍ତି ଅଛି କହିଛି ସିକନ୍ଦ୍ରାବାଦ ପୋଲିସ।





