ନୟାଗଡ଼, (ବାଘୁଆବାର୍ତ୍ତା): ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହୋଇ ୨୮ ତାରିଖରେ ଶେଷ ହେବାକୁ ଥିବା +୨ ପରୀକ୍ଷା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଡିଆଇବି ଡିଏସପି ସୁବାଷ ମହାନ୍ତି ପ୍ରମୂଖ ଯୋଗ ଦେଇଥିଲେ । ନୟାଗଡ଼ ଜିଲ୍ଲାରେ ମୋଟ ୯ହଜାର ୩୦୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା ବେଳେ ଏଥିପାଇଁ ମୋଟ ୩୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ସେମାନଙ୍କ ମଧ୍ୟରୁ କଳାରେ ୬ ହଜାର ୪୫୨ ଜଣ ପରୀକ୍ଷାର୍ଥୀ ରହିଥିବା ବେଳେ ବାଣିଜ୍ୟତେ ୧୭୭ ଜଣ ଏବଂ ବିଜ୍ଞାନରେ ୨ ହଜାର ୬୭୬ ଜଣ ପରୀକ୍ଷାର୍ଥୀ ରହିଥିବା ଜଣାପଡ଼ିଛି । ଏହି କେନ୍ଦ୍ର ଗୁଡ଼ିକ ମଧ୍ୟରୁ ୫ଟି ହବ କେନ୍ଦ୍ର ହୋଇଥିବା ବେଳେ ସମସ୍ତ କେନ୍ଦ୍ରରେ ସିସିଟିଭି ଲାଗିବାର ବ୍ୟବସ୍ଥା ହୋଇଛି । ଶାନ୍ତି ଶୃଙ୍ଖଳାରେ ପରୀକ୍ଷା ନିୟନ୍ତ୍ରଣ କରିବା ପାଇଁ ପ୍ରତ୍ୟେକ କେନ୍ଦ୍ରରେ ଦୁଇ ଜଣ ପୁଲିସ ମୁତୟନ ହେବାକୁ ଥିବା ବେଳେ ଉତ୍ତେଜନା ପ୍ରବଣ କେନ୍ଦ୍ରରେ ଅଧିକ ପୁଲିସ ମୁତୟନ ରହିବେ ବୋଲି ଜଣାପଡ଼ିଛି । ପରୀକ୍ଷାରେ କପି ରୋକିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଏଥିପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି । ତତ୍ ସହିତ ଜିଲ୍ଲା ପ୍ରଶାସନର ଅନେକ ପ୍ରଶାସନିକ ଅଧିକାରୀଙ୍କୁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଆଜି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଅଧ୍ୟକ୍ଷାମାନେ ଉପସ୍ଥିତ ଥିଲେ ।






