ସାନଖେମୁଣ୍ଡି, (ବାଘୁଆବାର୍ତ୍ତା): ଶାଗୁଆନ କାଠ ବୋଝେଇ ଟ୍ରାକ୍ଟର ଜବତ । ଚାରି ଅଟକ । ବ୍ରହ୍ମପୁର ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ବନ ବିଭାଗ ଶନିବାର ରାତିରେ ଏକ ଶାଗୁଆନ କାଠ ବୋଝେଇ ଟ୍ରାକ୍ଟରକୁ ପୁଞ୍ଜିକରା ଛକରେ ଜବତ କରିଛି । ଏହା ସହ କାଠ ଚୋରାଚାଲାଣରେ ସଂପୃକ୍ତ ଚାରି ଜଣଙ୍କୁ ଅଟକ କରିଥିବା ଜଣାପଡିଛି । ସମସ୍ତ ଅଭିଯୁକ୍ତଙ୍କ ଘର ଦିଗପହଣ୍ଡି ଥାନା ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମରେ ବୋଲି ଜଣାଯିବା ସହ ଅନ୍ୟ ଜଣେ ବ୍ୟକ୍ତି ସେମାନଙ୍କୁ ଡକାଇ ନେଇଥିଲେ ବୋଲି ଅଭିଯୁକ୍ତମାନେ କହିଛନ୍ତି । ଟ୍ରାକ୍ଟର ନଂ . ଓଡି୦୭ ଏସ ୫୨୬୭ ଏବଂ ଟ୍ରଲି ନଂ ଓଆର୍ ୦୭ ଏକ୍ସ ୨୫୬୦ କୁ ବନବିଭାଗ ଜବତ କରିଛି । ତେବେ ଜବତ କାଠର ଆନୁମାନିକ ବଜାର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ ସୂଚନା ଦେଇଛନ୍ତି । ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି । ଜବତ କାଠ ଗୋକର୍ଣ୍ଣପୁର ପଞ୍ଚାୟତ କାର୍ୟ୍ୟାଳୟ ପରିସରରୁ ଭୀଷ୍ମଗିରି ଯାଉଥିଲା ବୋଲି ସୂଚନା ମିଳିଛି। ପଞ୍ଚାୟତ କୋଠା ନିର୍ମାଣ ପାଇଁ ଗଛ କାଟିବାକୁ ଅନୁମତି ଲୋଡା ଯାଇଥିବା ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ଦୋରା କହିଥିବା ବେଳେ କାଠ ଚାଲାଣ ବେଳେ ଅଭିଯୁକ୍ତଙ୍କ ନିକଟରେ କୌଣସି ଅନୁମତି ପତ୍ର ନଥିବା ଫରେଷ୍ଟର ସୋମନାଥ ମଲ୍ଲିକ କହିଛନ୍ତି । ତଦନ୍ତ ଜାରି ରହିଥିବାରୁ ସବିଶେଷ ତଥ୍ୟ ପରେ ସ୍ପଷ୍ଟ ଜଣାଇ ଦିଆଯିବ ବୋଲି ରେଞ୍ଜର ପଟ୍ଟନାୟକ କହିଛନ୍ତି ।





