ନୟାଗଡ଼, (ବାଘୁଆବାର୍ତ୍ତା): ଖୋର୍ଦ୍ଧା- ବଲାଙ୍ଗିର ରେଳପଥ ନୂଆଗାଁ ଥାନା ପଂଚୁପାଣ୍ଡବ ନିକଟସ୍ଥ ରେଳ ଧାରଣାରୁ ନୂଆଗାଁ ଥାନା ପୋଲିସ ଅଜଣା ବ୍ୟକ୍ତିର ଗଳିତ ଶବ ଉଦ୍ଧାର କରି ଜି ଆର ପିକୁ ହସ୍ତାନ୍ତର କରିଛି । ସୂଚନାନୁସାରେ, ଖୋର୍ଦ୍ଧା- ବଲାଙ୍ଗିର ରେଳପଥ ନୂଆଗାଁ ପଞ୍ଚୁପାଣ୍ଡବ ଜଙ୍ଗଲକୁ ଲାଗି ଯାଇଥିବା ରେଳପଥ ପୋଲ ନିକଟ ରେଳ ଧାରଣାରେ ଏକ ଅଜଣା ବ୍ୟକ୍ତିର ମୃତ ଶରୀର ଓ ଗୋଡ ହାତ ଅଲଗା ଅଲଗା ହୋଇ ପଡିଥିବା ସ୍ଥାନୀୟ ଲୋକ ଦେଖି ନୂଆଗାଁ ଥାନାରେ ଜଣାଇ ଥିଲେ । ଖବର ପାଇ ନୁଆଗାଁ ଥାନା ପୋଲିସ ଜି ଆର୍ ପିକୁ ସୂଚନା ଦେଇଥିଲେ । ତେବେ ଘଟଣାସ୍ଥଳଟି ଜିଆରପିକୁ ହସ୍ତାନ୍ତର ହୋଇ ନଥିବା କାରଣରୁ ଜିଆରପି ଶବ ଜବତ କରି ପାରିବ ନାହିଁ ଜିଆରପି ନୂଆଗାଁ ଥାନା ପୋଲିସକୁ କହିଥିଲେ । ତେଣୁ ନୂଆଗାଁ ଥାନା ଅଧିକାରୀ ପୁଷ୍ପଲତା ବେହେରାଙ୍କ ସମେତ ନୂଆଗାଁ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ଜିଆରପିକୁ ହସ୍ତାନ୍ତର କରିଛି । ଏ ନେଇ ନୂଆଗାଁ ପୋଲିସ ଥାନାରେ ଏକ ଅପମୃତ୍ୟୁ ମାମଲା କେସ୍ ନଂ ୩/୨୨ ରୁଜୁ କରି ଜିଆରପିକୁ ଶବ ହସ୍ତାନ୍ତର କରିଛି । ଶବ ବ୍ୟବଛେଦ ପରେ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଶବକୁ ମହଜୁଦ ରଖାଯିବ ବୋଲି ଆଇଆଇସି ବେହେରା ସୂଚନା ଦେଇଛନ୍ତି । ତେବେ କେଉଁଦିନ କିପରି ଭାବେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଛି ସେ ନେଇ କିଛି ଜଣା ପଡିନାହିଁ ।





