ବଲାଙ୍ଗିର, (ବାଘୁଆବାର୍ତ୍ତା): ରାସ୍ତା ପାର୍ଶ୍ୱ ଚାଷ ଜମି ନିକଟରେ ଅଟକିଲା ସ୍କୁଟି। ସ୍କୁଟିରେ ବସିଥିଲେ ଦୁଇ ଯୁବତୀ। ସେମାନେ ଏହି ଚାଷ ଜମି ନିକଟରେ ଖେଳୁଥିବା ନାବାଳକକୁ କୌଶଳ କରି ପାଖକୁ ଡାକିଲେ। ତାକୁ ଚକୋଲେଟ୍ ଖାଇବାକୁ ଦେଲେ। ସେ ବେହୋସ ହୋଇ ଟଳି ପଡ଼ିବାରୁ ତାକୁ ସ୍କୁଟିରେ ଧରି ଛୁ ମାରିଲେ। ଏହି ଘଟଣାକୁ ଦୂରରୁ ଦେଖି କିଛି ଲୋକ ଧର ଧର କହି ପିଲା ଚୋରଣିଙ୍କ ପିଛା କରିଥିଲେ। ହେଲେ ଲୋକଙ୍କୁ ଚକମା ଦେଇ ଏହି ଦୁଇ ପିଲା ଚୋରଣି ବେଲପଡ଼ା ରାସ୍ତାରେ ଯାଉଥିଲେ। ଅନାଚକ ଶିଶୁଟିର ହୋସ ଆସିବାରୁ ସେ ଚିତ୍କାର ଛାଡ଼ିଥିଲା। ଏହା ଦେଖି ବାଟରେ ଯାଉଥିବା ବାଟୋଇ ମାନେ ବାଇକ୍ ଯୋଗେ ଏହି ପିଲା ଚୋରଣିଙ୍କ ପିଛା କରିଥିଲେ। ଶେଷରେ ଅନ୍ୟ ଉପାୟ ନ ପାଇ କିଛି ବାଟରେ ଏହି ଦୁଇ ପିଲା ଚୋରଣି ଶିଶୁଟିକୁ ରାସ୍ତା ପାର୍ଶ୍ୱ ଏକ ବିଲକୁ ଫୋପାଡ଼ି ଦେଇ ପଳାଇଥିଲେ। ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ ଟିକ୍ରାପଡା ଥାନା ଦେଓଗାଁରେ ଘଟିଛି ଏହି ଘଟଣା। ଅପରାହ୍ନ ୩ ଟାରେ ଏହି ଚୋରଣିମାନେ ଶିଶୁଟିକୁ ନେଇ ଚାଲି ଯାଉଥିଲେ। ପିଲାଟିକୁ ବେଲପଡ଼ା ସହର ନିକଟ ରାସ୍ତା ପାର୍ଶ୍ୱରୁ ଉଦ୍ଧାର କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଲୋକେ ଉଦ୍ଧାର କରି ବେଲପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାକୁ ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶିଶୁର ବାପା ଅନାବ ପୁଟେଲ ଦେଇଥିବା ଅଭିଯୋଗ କ୍ରମେ ବଲପଡ଼ା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଯୁବତୀମାନେ ହିନ୍ଦିରେ କଥାବାର୍ତ୍ତା କରୁଥିବା ନାବାଳକ ଜଣକ କହିଛି। ତେଣୁ ସେମାନେ ବାହାର ରାଜ୍ୟର ହୋଇଥିବା ଅନୁମାନ କରାଯାଉଛି।





