ନୟାଗଡ଼, (ବାଘୁଆବାର୍ତ୍ତା): ରଣପୁର ବ୍ଲକ ନରେନ୍ଦ୍ରପୁର ଗ୍ରାମ ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ଶ୍ରୀ ଭୋଳେଶ୍ୱର ଦେବଙ୍କ ପୀଠ ପରିସରରେ ମୋ ଗାଁ ମହୋତ୍ସବ-୨୦୨୦ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଏକ ମଶାଲ ଶୋଭାଯାତ୍ରା ମା କଙ୍କାଳୀଙ୍କ ପୀଠରୁ ବାହାରି ଗ୍ରାମ ପରିକ୍ରମା କରିବା ସହିତ ମୁକ୍ତମଞ୍ଚ ପ୍ରଶ୍ନ ପ୍ରତିଯୋଗୀତା, ଏକକ ସଂଗୀତ ପ୍ରତିଯୋଗୀତା ଏବଂ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ମୁକ୍ତାକାଶ ରଙ୍ଗ ମଞ୍ଚରେ ଅନୁଷ୍ଠିତ ସାଧାରଣ ସଭାରେ ମହୋତ୍ସବର ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନଙ୍କ ସଭାପତିତ୍ୱ କରିଥିବା ବେଳେ ସଂପାଦକ ରଶ୍ମିରଞ୍ଜନ ପରିଡା ସଂପାଦକୀୟ ବିବରଣୀ ପାଠ କରିଥିଲେ । ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମହୋତ୍ସବ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ମୁଖ୍ୟ ବକ୍ତା ଭାବେ ନୟାଗଡ ସେବା ମହୋତ୍ସବ ଅଧ୍ୟକ୍ଷ ଯୁବ ସମାଜସେବୀ ଶିବରାମ ମହାପାତ୍ର ଯୋଗ ଦେଇଥିଲେ । କମିଟିର ମୁଖ୍ୟ ଉପଦେଷ୍ଟା ଚିତ୍ତରଞ୍ଜନ ପ୍ରଧାନ ତାଙ୍କ ଅଭିଭାଷଣରେ ଏହି ମହୋତ୍ସବକୁ ଦୀର୍ଘ ସ୍ଥାୟୀକରିବା ପାଇଁ ଇଚ୍ଛାପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବେ ବୋଲଗଡ ଏକ୍ସପ୍ରେସ୍ ବ୍ୟଙ୍ଗକବି ବ୍ରଜବିହାରୀ ସୁବୁଦ୍ଧି, ଚଳଚ୍ଚିତ୍ର ଅଭିନେତ୍ରୀ ଐଶ୍ୱର୍ଯ୍ୟା, ହରମୋହନ ସାମନ୍ତରାୟ, ନିରଞ୍ଜନ ପାଇକରାୟ, ପାଣ୍ଡବ ସେଠୀ, ପ୍ରାକ୍ତନ ସରପଞ୍ଚ ପ୍ରଭାକର ସ୍ୱାଇଁ, ଲକ୍ଷ୍ମୀଧର ବାହିନୀପତି, ଚଳଚ୍ଚିତ୍ର ନିର୍ଦ୍ଦେଶିକା ମମତା ପ୍ରମୁଖ ଯୋଗଦେଇଥିଲେ । ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆସିଥିବା ପାଇକ ଆଖଡା, ଓଡିଶୀ ନୃତ୍ୟ ଦର୍ଶକଙ୍କ ମନକୁ ଛୁଇଁଥିଲା । ଓଡିଶୀ ନୃତ୍ୟ ଗୁରୁ ଲିମା ଦାସ, ଉପସ୍ଥାପିକା ସୁଶ୍ରୀ ଲୟାତ୍ମିକା, ଉପସ୍ଥାପକ-ସାମ୍ବାଦିକ ଜୟେନ୍ଦ୍ର ବେହେରା ପ୍ର୍ରମୁଖଙ୍କୁ ସମ୍ବର୍ନ୍ଧନା ସହ ସ୍ୱର୍ଗତ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟଦଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା । ପରିଶେଷରେ ମହୋତ୍ସବ ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନ ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କୁ ମାନପତ୍ର ଦ୍ୱାରା ସମ୍ବର୍ଦ୍ଧିତ କରିଥିଲେ ।






