କଣ୍ଟାବାଞ୍ଜି, (ବାଘୁଆବାର୍ତ୍ତା): ରେଳଧାରଣାରୁ ଦୁଇ ମୃତଦେହ ଉଦ୍ଧାର। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ସାଲେପଡ଼ା ରେଳଧାରଣାରୁ ଜଣେ ମହିଳା ଏବଂ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଜିଆରପି ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ପ୍ରେମ ବ୍ୟାପାରକୁ ନେଇ ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସୂଚନାନୁଯାୟୀ, ମୃତ ମହିଳା ଜଣଙ୍କ ହେଲେ ବାଲଦାସ ଗାଁର ପୂଜା ରଣା ଏବଂ ଯୁବକ ଜଣଙ୍କ ଘଣ୍ଟବାହାଲ ଗାଁର କୃଷ୍ଣଚନ୍ଦ୍ର ରଣା । ଦୁହିଁଙ୍କ ଭିତରେ ଅନେକ ଦିନରୁ ପ୍ରେମ ସମ୍ପର୍କ ଥିଲା । ଦୁଇ ଜଣଙ୍କ ପରିବାର ତାଙ୍କ ପ୍ରେମକୁ ନେଇ ଅନେକ ସମୟରେ ସ୍ଥାନୀୟ ଥାନାର ଦ୍ୱାରସ୍ଥ ହୋଇଥିଲେ । ମହିଳାଙ୍କ ସ୍ୱାମୀଙ୍କୁ ଏବଂ ଯୁବକଙ୍କ ପରିବାର ଲୋକଙ୍କୁ ଡାକି ସମାଧାନ କରିବାକୁ ଚେଷ୍ଟା କରିଥିଲେ । ତେବେ ସୋମବାର ରାତି ସମୟରେ ଦୁଇ ଜଣଙ୍କର ପରିବାର ଥାନାରେ ଆପୋଷ କଥାବାର୍ତ୍ତା ହୋଇଥିବା ବେଳେ ବିବାହିତ ମହିଳା ତାଙ୍କ ସ୍ଵାମୀଙ୍କ ସହ ନରହି ପ୍ରେମିକଙ୍କ ସହ ରହିବାକୁ ଜିଦ କରିଥିଲେ । ପରେ ଦୁଇ ପରିବାର ଲୋକ ଦୁଇ ଜଣଙ୍କୁ ଛାଡି ଦେଇଥିଲେ । ଆଜି ସକାଳ ସମୟରେ ଦୁଇ ଜଣଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡିଥିବା ଦେଖି କିଛି ଲୋକ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । କଣ୍ଟାବାଞ୍ଜି ଜିଆରପି ପୋଲିସ ଘଟଣାର ଖବର ପାଇଥିବା ବେଳେ ବର୍ତ୍ତମାନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନାହିଁ ।





