ନୟାଗଡ଼, (ବାଘୁଆବାର୍ତ୍ତା) : ପ୍ରସିଦ୍ଧ ଲଙ୍କାକୋଡି ଯାତ୍ରା-୨୦୨୦ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡିଙ୍କ ପୌରହିତ୍ୟରେ ମଙ୍ଗଳବାର ରାତ୍ର ୭ଟା ସମୟରେ ଶ୍ରୀରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରା ୨୧୮ ବର୍ଷରେ ଆସି ପହଞ୍ଚିଛି । ଆସନ୍ତା ଏପ୍ରିଲ ୨ରୁ ଶ୍ରୀରାମ ଜନ୍ମ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଚଉଦ ଦିନ ଧରି ଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଶ୍ରୀଶ୍ରୀ ରଘୁନାଥ ଜୀଉ ଲଙ୍କାପୋଡ଼ି ଯାତ୍ରା କମିଟି ସ୍ଥିର କରିଛି । ଯାତ୍ରାର ମୁଖ୍ୟ ଉତ୍ସବ ଏପ୍ରିଲ ୧୪ ତାରିଖରେ ଲଙ୍କାପୋଡି (ରାବଣବଧ) ହେବ । ଚଳିତ ବର୍ଷ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ମିନାବଜାର, ମାଗଣା ଅପେରା, ରାମଦୋଳି, ପ୍ରତିଷ୍ଠି ଲୋକନୃତ୍ୟ ଦଳ, ମେଲୋଡି, ବିଭିନ୍ନ କିସମର ଆତସବାଜୀ, ପଲ୍ଳିଶ୍ରୀମେଳା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମୁଖ୍ୟ ଆକର୍ଷଣ ୩୫ ଫୁଟ ଉଚ୍ଚର ଚଳମାନ କାଷ୍ଠ ନିର୍ମିତ ରାବଣ ଓ ପୁଷ୍ପକ ଯାନକୁ ଅଧିକ ସୁସଜ୍ଜିତ କରାଯିବ । ଅଭଙ୍ଗ ପରମ୍ପରାରେ ବହନ କରିଥିବା ଯାତ୍ରାର ଶ୍ରୀରାମଲୀଳାର ବିଭିନ୍ନ ପ୍ରସଙ୍ଗକୁ ଜୀବନ୍ତ ରୂପ ଦେବା ସକାଶେ ମଞ୍ଚକୁ ମେଢ ସହାୟତାରେ ସଜାଯିବ । ଯାତ୍ରାର ସୁପରିଚାଳନା ନିମନ୍ତେ ବିଭିନ୍ନ ବିଭାଗ ଅର୍ଥ, ସାଂସ୍କୃତିକ, ଆତସବାଜୀ, ପ୍ରଚାର ଓ ପ୍ରସାର, ଶାନ୍ତିଶୃଙ୍ଖଳା, ଅଭ୍ୟର୍ଥନା, ଉପାଧି (ପ୍ରାସଦ ବଣ୍ଟନ), ଡାଳ ଛାମୁଣ୍ଡିଆ, ଲୋକନୃତ୍ୟ, କାଷ୍ଠ ରାବଣ ଓ ପୁଷ୍ପକ ବିମାନ ନିମନ୍ତେ ପୃଥକ ପୃଥକ ଭାବେ କମିଟି ଗଠନ କରାଯାଇଛି । ଏପ୍ରିଲ ୧୬ ତାରିଖ ଠାରୁ ୩ଦିନ ଧରି କୁଆଁରିଆ ମହୋତ୍ସବର ଆୟୋଜନ କରାଯିବ । ଏହି ମଞ୍ଚରେ ରାଜ୍ୟର ସୁପ୍ରତିଷ୍ଠିତ ଲୋକନୃତ୍ୟ, ସଂଗୀତ ଦଳଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବା ସହିତ ସାରସ୍ୱତ ସାହିତିୃକ, କବି, ପ୍ରଶାସନିକ ଅଧିକାରୀ, ମନ୍ତ୍ରୀମଣ୍ଡଳର ସଦସ୍ୟ ମାନଙ୍କୁ ଆମନ୍ତ୍ରଣ କରାଯିବ । ଏହି ସମୟରେ ଆଦିବାସୀ ମେଳାର ମଧ୍ୟ ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ବିଗତ ବର୍ଷର ଆୟ-ବ୍ୟୟର ହିସାବ ସମ୍ପାଦକ ସୂର୍ଯ୍ୟମଣୀ ଦାସ ଓ କୋଷାଧ୍ୟକ୍ଷ ଭବାନୀ ପ୍ରସାଦ ମିଶ୍ର ଉପସ୍ଥାପନ କରିଥିଲେ ।





