ବାଲିପାଟଣା, (ବାଘୁଆବାର୍ତ୍ତା): ଚାଷ ଜମିରେ ପଡ଼ିଛି ଯୁବକଙ୍କ ମୃତଦେହ। ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳର ବୋଧଖଣ୍ଡି ଧନୁଆ ନଈ କୂଳରୁ ଆଜି ସକାଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ହେଉଛନ୍ତି ଶିଶିଲୋ ଗ୍ରାମର ୧୯ ବର୍ଷୀୟ ଯୁବକ ଆଶିଷ ଓଝା। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ବୁଧବାର ରାତିରେ ଶିଶିଲୋ ଗ୍ରାମର ଆଶିଷ ଓଝାଙ୍କୁ ତାଙ୍କର ସାଙ୍ଗମାନେ ଗାଁ ମୁଣ୍ଡରେ ଥିବା ପୋଖରୀ ନିକଟକୁ ଡାକିଥିଲେ। ଦୀର୍ଘ ସମୟ ଧରି ଆଶିଷ ଆଉ ଘରକୁ ଫେରିନଥିଲେ। ଫଳରେ ଡେରି ହେବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ କିନ୍ତୁ କୌଣସି ସନ୍ଧାନ ପାଇ ନଥିଲେ। ଆଜି ସକାଳୁ ସ୍ଥାନୀୟ ଲୋକେ ବୋଧଖଣ୍ଡି ଧନୁଆ ନଈ କୂଳକୁ ଗାଧୋଇବାକୁ ଆସିବା ବେଳେ ଆଶିଷଙ୍କ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ତେବେ ଯୁବକଙ୍କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।





