ନୟାଗଡ଼, (ବାଘୁଆବାର୍ତ୍ତା): ବିଭିନ୍ନ ପ୍ରକାରର ଚୋରୀ କରାଯାଉଥିବା ନେଇ ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ତେବେ ବଳଦ ଚୋରୀ ଘଟଣା କାଁ ଭାଁ ଘଟିଥିବା ବେଳେ ନୟାଗଡ଼ ସଦର ଥାନା ଅଞ୍ଚଳରେ ଏଭଳି ନାରକୀୟ ଘଟଣା ଘଟିଛି । ସଦର ଥାନା ଅଞ୍ଚଳରୁ ବଳଦ ଚୋରୀ କରି ନେଇ ଦଶପଲ୍ଲା ଥାନା ଅଞ୍ଚଳରେ ରଖିଥିଲେ । ପୋଲିସ ବଳଦ ଉଦ୍ଧାର କରିବା ସହ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନାନୁସାରେ, ନୟାଗଡ଼ ସଦର ଥାନା ଅଞ୍ଚଳର ଯୁଗଳ ସାହୁ ନାମକ ଜଣେ ବ୍ୟକ୍ତିଙ୍କର ଦୁଇ ପଟ ବଳଦ ଚୋରି ହୋଇଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଥିଲା । ତେବେ ସଦର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦଶପଲ୍ଲା ହାଟରେ ଅଭିଯୁକ୍ତ ବଳଦ ବିକ୍ରି କରୁଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲେ । ଦଶପଲ୍ଲା ହାଟରେ ନୟାଗଡ଼ ସଦର ପୋଲିସ ଚଢ଼ାଉ କରି ଚୋରୀ ହୋଇଥିବା ବଳଦ ଉଦ୍ଧାର କରିବା ସହ ଢାଳିଆମଡା ଗ୍ରାମର ଚିରଞ୍ଜିବୀ ସାହୁଙ୍କ ୨୩ବର୍ଷିୟ ପୁଅ ଅଭିମନ୍ୟୁ ସାହୁଙ୍କୁ ଗିରଫ କରି ଥାନାକୁ ଆଣିଥିଲେ। ପଚରା ଉଚୁରା କରିବା ପରେ ଅଭିଯୁକ୍ତ ଅଭିମନ୍ୟୁ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସଦର ଥାନା ଅଧିକାରୀ ଦିପକ୍ କୁମାର ଖଣ୍ଡାୟତରାୟ ସୂଚନା ଦେଇଛନ୍ତି ।






