ଭଦ୍ରକ, (ବାଘୁଆବାର୍ତ୍ତା): ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା । ଅଭିଯୁକ୍ତ ଆଦିତ୍ୟ ରାଉତକୁ ବାନ୍ଧିଲା ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ । ତିହିଡି ଥାନା ମନ୍ଦାର ମାଳ ଗାଁରୁ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଏକ ସାଙ୍ଗର ବାହାଘର ଭୋଜିରେ ଯୋଗଦାନ ଲାଗି ଭଦ୍ରକ ସହର ସ୍ଥିତ କଲ୍ୟାଣ ମଣ୍ଡପକୁ ଯାଇଥିଲେ ବିଦ୍ୟାଧର । ବାହାଘର ଭୋଜି ଖାଇସାରିବା ପରେ ଘରକୁ ଫେରୁଥିଲେ ବିଦ୍ୟାଧର, କିନ୍ତୁ କୌଣସି କଥାକୁ ନେଇ ବିଦ୍ୟାଧରଙ୍କ ସହ ଅନ୍ୟ ଯୁବକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଯୁବକ ମାନେ ବିଦ୍ୟାଧରଙ୍କୁ ଏକ ବାଉଁଶ ଯୋଗେ ବାଡେଇ ବାଡେଇ ତଳେ ପକାଇଦେଇଥିଲେ । ବିଦ୍ୟାଧର ତଳେ ପଡିଯିବା ପରେ ମଧ୍ୟ ପୁଣି ବାଡେଇ ଚାଲିଥିଲେ । ଶେଷରେ ହତ୍ୟାକାରୀ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପରେ ଅନ୍ୟ କିଛି ପିଲା ଗୁରୁତର ଅବସ୍ଥାରେ ବିଦ୍ୟାଧରଙ୍କୁ ଭଦ୍ରକ ମେଡିକାଲକୁ ଆଣିଥିଲେ । ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ତେବେ ବିବାହ ଭୋଜିରେ ମାଂସ ଖାଇବା ଓ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତ ଆଦିତ୍ୟ ରାଉତକୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ତିହିଡି ଥାନା ମନ୍ଦାର ମାଳ ଗାଁରୁ ଗିରଫ ହେଲେ ଅଭିଯୁକ୍ତ ।





