ବର୍ମିଂହାମ, (ବାଘୁଆବାର୍ତ୍ତା): ଦ୍ଵିତୀୟ ଇନିଂସରେ ନିରାଶ କଲେ ଭାରତୀୟ ବ୍ୟାଟସମ୍ୟାନ। ଏଜବାଷ୍ଟନ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟର ଦ୍ଵିତୀୟ ଇନିଂସରେ ଭାରତ ଚତୁର୍ଥ ଦିନରେ ୨୪୫ ରନରେ ଅଲଆଉଟ୍ ହୋଇଛି। ଏଥିସହ ପ୍ରଥମ ଇନିଂସର ୧୩୨ ରନ ଅଗ୍ରଣୀ ଭିତ୍ତିରେ ଇଂଲଣ୍ଡକୁ ୩୭୮ ରନ ବିଜୟ ଲକ୍ଷ୍ୟ ଦେଇଛି ଭାରତ। ତେବେ ଖେଳ ଆହୁରି ଦେଢ ଦିନ ବାକି ଥିବାରୁ ମ୍ୟାଚର ପରିଣାମ ବାହାରିବାର ଯଥେଷ୍ଟ ସମ୍ଭାବନା ରହିଛି। ମ୍ୟାଚ୍ ରୋମାଞ୍ଚକର ହେବାର ଆଶା କରାଯାଉଛି। ଭାରତ ପକ୍ଷରୁ ଦ୍ଵିତୀୟ ଇନିଂସରେ ଚେତେଶ୍ଵର ପୂଜାରା ସର୍ବାଧିକ ୬୬ ରନ କରିଥିବା ବେଳେ ଋଷଭ ପନ୍ତ ୫୭ ରନ କରିଛନ୍ତି। ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ୩୩ ରନ ଦେଇ ୪ଟି ଓ୍ଵିକେଟ୍ ନେଇଛନ୍ତି। ଭାରତର ପ୍ରଥମ ଇନିଂସ ୪୧୬ ରନ ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୮୪ ରନରେ ଅଲଆଉଟ୍ ହୋଇଥିଲା। ତୃତୀୟ ଦିନର ଖେଳର ୧୨୫/୩ରୁ ଭାରତ ଚତୁର୍ଥ ଦିନରେ ବ୍ୟାଟିଂ ଆରମ୍ଭ କରିଥିଲା। ହେଲେ ପ୍ରଥମ ସେସନରେ ଭାରତ ୪ଟି ଓ୍ଵିକେଟ୍ ହରାଇଥିଲା। ଗତକାଲି ୫୦ ରନରେ ଅପରାଜିତ ଥିବା ପୂଜାରା ୬୬ ରନ କରି ଆଉଟ୍ ହୋଇଥିଲେ। ପନ୍ତଙ୍କ ସେ ଚତୁର୍ଥ ଓ୍ଵିକେଟ୍ ପାଇଁ ୭୮ ରନ ଯୋଡିଥିଲେ। ଏହା ପରେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଶ୍ରେୟସ ଆୟର ୧୯ ରନରେ ଆଉଟ୍ ହୋଇଥିଲେ। ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ପନ୍ତ ଦ୍ଵିତୀୟ ଇନିଂସରେ ବି ୫୭ ରନର ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ଶେଷ ଆଡକୁ ରବୀନ୍ଦ୍ର ଜାଡେଜା କ୍ରିଜରେ ଜମି ରହିଥିଲେ ହେଁ ଅନ୍ୟପଟୁ ଓ୍ଵିକେଟ୍ ଖସି ଚାଲିଥିଲା। ଶାର୍ଦ୍ଦୁଳ ଠାକୁର(୪), ମହମ୍ମଦ ଶାମି(୧୩) ଆଉଟ୍ ହୋଇଥିଲେ। ଜାଡେଜା ୨୩ ରନ କରି ବେନ ଷ୍ଟୋକ୍ସଙ୍କ ଶିକାର ହୋଇଥିଲେ। ବୁମରା (୭) ଶେଷ ବ୍ୟାଟସମ୍ୟାନ ଭାବେ ଆଉଟ୍ ହୋଇଥିଲେ। ଭାରତ ଦ୍ଵିତୀୟ ଇନିଂସରେ ୨୪୫ ରନରେ ଅଲଅଉଟ୍ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ୩୩ ରନ ଦେଇ ୪ଟି ସଫଳତା ପାଇଛନ୍ତି। ଷ୍ଟୁଆର୍ଟ ବ୍ରଡ ଏବଂ ମାଟି ପୋଟ୍ସ ଉଭୟ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଜେମ୍ସ ଆଣ୍ଡରସନ ଏବଂ ଜାକ ଲିଚଙ୍କୁ ଗୋଟିଏ ଗୋଟିଏ ଓ୍ଵିକେଟ୍ ମିଳିଥିଲା।






