ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସ୍ତ୍ରୀ’ଙ୍କ ଠାରୁ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଥିଲେ । ଏହାପରେ ତାଙ୍କୁ ପୁଣି ନିଜର କରିବାକୁ ଚାହିଁଥିଲେ । ସ୍ତ୍ରୀ ରାଜି ନ ହେବାରୁ ତାଙ୍କୁ ଅପହରଣ କରିବାକୁ ଚେଷ୍ଟା କଲା ବେଳେ ମାଡ ଖାଇଛନ୍ତି ସ୍ୱାମୀ । ଏମିତି ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ରସୁଲଗଡ଼ ଶବରସାହିରେ । ଏନେଇ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଭଦ୍ରକର ପ୍ରକାଶ (ଛଦ୍ମାନାମ) ୨୦୨୦ରେ ଯାଜପୁରର ପ୍ରୀତି(ଛଦ୍ମନାମ) କୁ ଇନଷ୍ଟାଗ୍ରାମ୍ରୁ ଭଲ ପାଇଥିଲେ । ୨୦୨୧ରେ ନୋଟାରିରେ ବାହା ହୋଇଥିଲେ । ବାହାଘର ପରେ ପ୍ରକାଶ ଜାଣିବାକୁ ପାଇଥିଲେ ପ୍ରୀତି ରସୁଲଗଡ଼ ଏସ୍ପ୍ଲାନେଡ୍ ମଲ୍ରେ ଚାକିରି କରୁଛନ୍ତି । ସେଠାରେ ତାଙ୍କର ଜଣେ ପ୍ରେମିକ ଅଛନ୍ତି । ଏହାକୁ ନେଇ ବିବାଦ ହେବାରୁ ଉଭୟେ କୋର୍ଟରେ ୨୦୨୧ ଅଗଷ୍ଟରେ ଛାଡ଼ପତ୍ର ଆବେଦନ କରିଥିଲେ । ହେଲେ ଗତ ମାସ ୧୮ ତାରିଖରେ ପ୍ରକାଶ ପ୍ରୀତିଙ୍କୁ ଏକାଠି ରହିବା ପାଇଁ କହିଥିଲେ । ପ୍ରୀତି କିଛି ଦିନ ସମୟ ମାଗିଥିଲେ । ଶୁକ୍ରବାର ପ୍ରୀତିଙ୍କର ଜନ୍ମଦିନ ଥିଲା । ପ୍ରକାଶ ତାଙ୍କ କିଛି ସାଙ୍ଗକୁ ନେଇ ଶବରସାହି ଆସିଥିଲେ । ସେଠାରୁ ତାଙ୍କୁ ଅପହରଣ ପାଇଁ ଯୋଜନା କରୁଥିଲେ । ଏହି ସମୟରେ ପ୍ରୀତି ଏକ ହେମଦସ୍ତା ପୁଆରେ ପ୍ରକାଶଙ୍କ ମୁଣ୍ଡକୁ ଛେଚି ଦେଇଥିଲେ । ପ୍ରକାଶ ମଧ୍ୟ ଏକ ଛୁରିରେ ପ୍ରିତୀଙ୍କୁ ଆକମ୍ରଣ କରିଥିଲେ । ପ୍ରୀତିଙ୍କ ଚିତ୍କାର ଶୁଣି ପଡୋଶୀ ଧାଇଁ ଆସିଥିଲେ । ଏହାପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ହସ୍ପିଟାଲ୍ ନେଇଥିଲା । ଏନେଇ ଯୁବତୀ ଜଣଙ୍କ ଏତଲା ଦେଇଥିଲେ । ଯୁବକଙ୍କୁ ଅଟକ ରଖି ପୁଲିସ୍ ଘଟଣାର ତଦନ୍ତ କରୁଛି । ଯୁବତୀ ରହୁଥିବା ଘରୁ ଏକ ଅଖା, ସୁତୁଲି, ଛୁରି ଓ ହେମଦସ୍ତା ପୁଆ ଜବତ କରିଛି ପୁଲିସ୍ ।





