ଢେଙ୍କାନାଳ, (ବାଘୁଆବାର୍ତ୍ତା): ଦୁର୍ଘଟଣା ଘଟାଇଥିବା ଜଣେ କାର ଚାଳକଙ୍କ ଲୋକଙ୍କ ମାଡ଼ରେ ମୃତ୍ୟୁ ହୋଇଥିବା ଅଭିଯୋଗକୁ ନେଇ ଢେଙ୍କାନାଲ ଜିଲ୍ଲା ହିନ୍ଦୋଳରେ ଉତ୍ତ୍ୱେଜନା ପ୍ରକାଶ ପାଇଛି । ଏହି ଘଟଣାକୁ ନେଇ ହିନ୍ଦୋଳ ଗାଡି ଚାଳକ ସଂଘ ମୃତଦେହ ଧରି ରାଜ ରାସ୍ତାକୁ ଓହ୍ଲାଇଛି । ହିନ୍ଦୋଳ ବିଜ୍ଞାପିତ ପରିଷଦର ପ୍ରାଣୀ ଚିକିତ୍ସା କେନ୍ଦ୍ର ଠାରେ ଅନୁଗୁଳ ହିନ୍ଦୋଳ ରାସ୍ତା ଓ ମୃତ କାର ଚାଳକ ଙ୍କ ଘର ବନମାଲିପୁର ଛକ ଠାରେ ହିନ୍ଦୋଳ ଗୁଡ଼ିଆକାଟେଣି ମୁଖ୍ୟରାସ୍ତା ଅବରୋଧ କରିଛନ୍ତି ଶତାଧିକ ଗାଡି ଚାଳକ । ଫଳରେ ସଧାରଣ ଯାତାୟାତ ସଂପୂଣ୍ଣ ବାଧାପ୍ରାପ୍ତ ଯୋଗୁଁ ଉତ୍ତ୍ୱେଜନା ପ୍ରକାଶ ପାଇଛି । ଖବର ପାଇ ଢେଙ୍କାନାଳରୁ ଅତିରିକ୍ତ ପୁଲିସ ଆରକ୍ଷୀ ଅଧିକ୍ଷକ ସମେତ ପୁଲିସ ଫୋର୍ସ ସହ ଆନ୍ଦୋଳନ ସ୍ଥଳରେ ପହଞ୍ଚିଥିଲେ । ବୁଝା ସୁଝା ପରେ ମୃତଦେହକୁ ବ୍ୟବଛେଦ ପାଇଁ ଛାଡିଥିଲେ ମଧ୍ୟ ଡ୍ରାଇଭର ମାନେ ଆନ୍ଦୋଳନରେ ବସିଥିବା ସୂଚନା ମିଳିଛି । ମୃତ କାର ଚାଳକ ହିନ୍ଦୋଳ ବିଜ୍ଞାପିତ ପରିଷଦ ଅଂଚଳ ବନମାଲିପୁର ର ଦେବୀ ପ୍ରସାଦ ମୁଦୁଲି ବୋଲି ଜଣାପଡିଛି। ଶନିବାର ରାତିରେ ଦେବୀ ପ୍ରସାଦ ମୁଦୁଲି ଚଳାଉଥିବା ଏକ ଡିଜାୟାର କାର ହିନ୍ଦୋଳ ବିଜ୍ଞାପିତ ପରିଷଦ ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା ମିରା ବଜାରର ଗୋଲାପ ମହମ୍ମଦ ଙ୍କ ଘରକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଥିଲେ । ତେବେ ଏହି ଘଟଣାରେ ଆହତ ମାନଙ୍କ ପରିବାର ଓ ସାହି ପଡୋଶୀ ଉତ୍ତ୍ୱେଜିତ ହୋଇଥିଲେ। ଏହି ଦୁର୍ଘଟଣା ଘଟାଇଥିବା କାର ଚାଳକ ଦେବୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ତାଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ତେବେ ମୃତ ଗାଡି ଚାଳକ ପରିବାରକୁ ନ୍ୟାୟ ପ୍ରଦାନ ଓ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବିରେ ଡ୍ରାଇଭରମାନେ ଆନ୍ଦୋଳନରେ ବସିଛନ୍ତି।





