ଧର୍ମଗଡ଼, (ବାଘୁଆବାର୍ତ୍ତା): ବିଳମ୍ବିତ ରାତିରେ ଘରେ ପଶି ଡକାୟତି। ଲୁଟିନେଲେ ଲକ୍ଷାଧିକ ଟଙ୍କା ସହିତ ସୁନା ଗହଣା କ୍ଷ ଶନିବାର ବିଳମ୍ବିତ ରାତିରେ କଲାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ଗ୍ରାମରେ ଲୁଟ୍ ହୋଇଛି। ସୁରଥ ସରାବୁଙ୍କ ଘରେ ୬ ଜଣ ମୁଖାପିନ୍ଧା ଡକାୟତ ପଶି ଲୁଟ୍ କରିଛନ୍ତି। ସୂଚନାନୁଯାୟୀ, ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ଗ୍ରାମର ସୁରଥ ସରାବୁଙ୍କ ଘରେ ଗତକାଲି ବିଳମ୍ଵିତ ରାତିରେ ୬ ଜଣ ମୁଖାପିନ୍ଧା ଡକାୟତ ପଶି ଆସିଥିଲେ। ଡକାୟତମାନେ ପ୍ରଥମେ ସିସିଟିଭି ଭାଙ୍ଗିବା ପରେ କବାଟ ଭାଙ୍ଗି ଘରେ ପଶିଥିଲେ। ଏହାପରେ ସୁରଥ ସରାବୁ ଏବଂ ତାଙ୍କ ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଟଙ୍କା ଏବଂ ସୁନା ଗହଣା ନେଇ ଫେରାର ମାରିଥିଲେ। ତେବେ ଡକାୟତଙ୍କ ଆକ୍ରମଣରେ ସୁରଥ ସରାବୁ ଏବଂ ତାଙ୍କ ସ୍ତ୍ରୀ ଗୁରୁତର ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି କୋକସରା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଏହାପରେ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଆମପାଣି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଡକାୟତମାନେ ସୁନାଗହଣା ସହ ନଗଦ ଟଙ୍କା ଲୁଟ କରିଥିବା ଅଭିଯୋଗ କରିଥିବା ବେଳେ କେତେ ସୁନା ଓ ଟଙ୍କା ଲୁଟ୍ କରିଛନ୍ତି ତାହା ଅସ୍ପଷ୍ଟ ରହିଛି।





