ମୁନିଗୁଡା, (ବାଘୁଆବାର୍ତ୍ତା): ଏକ ଘରୋଇ କମ୍ପାନୀରେ କାର୍ୟ୍ୟରତ ଜଣେ ଇଞ୍ଜିନିୟରଙ୍କର ମୁନିଗୁଡା ସ୍ଥିତ କମ୍ପାନୀ ଗେଷ୍ଟ ହାଉସରୁ ମୃତଦେହ ଉଦ୍ଧାର ହୋଇଛି । ଇଞ୍ଜିନିୟର ଜଣଙ୍କ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ଗତ ୧୫ଦିନ ତଳେ ସେ ଦିଲ୍ଲୀରୁ ଲାଞ୍ଜିଗଡ଼ ବେଦାନ୍ତ ସହଯୋଗୀ କମ୍ପାନୀ ମେଟସୋ ଇଣ୍ଡିଆ ଲିମିଟେଡ଼ କମ୍ପାନୀରେ ଯୋଗଦେଇ କାର୍ୟ୍ୟ କରୁଥିଲେ । ଇଞ୍ଜିନିୟର ବୀରେନ୍ଦ୍ର କୁମାର ଶର୍ମା ମଙ୍ଗଳବାର ନିଜ ଡ୍ୟୁଟି ସାରି ଫେରି କମ୍ପାନୀ ଗେଷ୍ଟ ହାଉସରେ ଶୋଇଥିଲେ । ହେଲେ ବୁଧବାର ସକାଳୁ କବାଟ ଖୋଲିନଥିବା ବେଳେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ତେବେ ମାଜିଷ୍ଟ୍ରେଟ୍ ଓ ଏସଡିପିଓଙ୍କ ଉପସ୍ଥିତିରେ ମୃତଦେହ ବାହାର କରାଯାଇଛି । ପରିବାର ଲୋକେ ପହଞ୍ଚିବା ପରେ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।





