ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ଶରଧାପୁର ଛକ ନିକଟରୁ କୁଟୁରା ମାଂସ ସମେତ ଦୁଇ ଜଣଙ୍କୁ ଗିରଫ କରିଛି ବନବିଭାଗ । ସୂଚନାଯୋଗ୍ୟ ଯେ ରବିବାର ଅପରାହ୍ନରେ ଓଡ଼ଗାଁ ବନବିଭାଗ କୁଟୁରା ମାଂସ ବିକ୍ରି ହେବାର ଖବର ପାଇ ପାଟ୍ରୋଲିଂ କରୁଥିବା ସମୟରେ ଶରଧାପୁର ଛକ ନିକଟରେ ଦୁଇ ଜଣ ବ୍ୟକ୍ତି ବ୍ୟାଗରେ କିଛି ଜିନିଷ ନେଉଥିବାର ଦେଖି ବନକର୍ମଚାରୀଙ୍କ ମଧ୍ୟରେ ସନ୍ଦେହ ଉପୁଜିଥିଲା । ଦୁଇ ଜଣଙ୍କୁ ଅଟକ ରଖିବାରୁ ସେମାନଙ୍କୁ ନିକଟରୁ କୁଟୁରା ମାଂସ ଜବତ ହୋଇଥିଲା।ଗିରଫ ଦୁଇ ଜଣ ବ୍ୟକ୍ତି ରଙ୍ଗଣୀପାଟଣା ଗ୍ରାମର ବସନ୍ତ ନାୟକ ଓ ଭାଡ଼ିକିଳା ଗ୍ରାମର ରାଜକିଶୋର ପ୍ରଧାନ । ସେମାନଙ୍କ ନିକଟରୁ ସମୁଦାୟ ୫୦୦ ଗ୍ରାମ ମାଂସ ଜବତ ହୋଇଥିବା ବନାଞ୍ଚଳ ଅଧିକାରୀ ଆଶିଷ କୁମାର କଅଁର ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ବନପାଳ ସଂଧ୍ୟାରାଣୀ ନାୟକଙ୍କ ସମେତ ବନକର୍ମଚାରୀ ସାମିଲ ଥିଲେ ।





