ଯାଜପୁର, (ବାଘୁଆବାର୍ତ୍ତା): ଯାଜପୁର ପୋଲିସକୁ ବଡ଼ ସଫଳତା। ବିଭିନ୍ନ ସ୍ଥାନରେ ଚୋରି ଘଟଣାରେ ସଂପୃକ୍ତ ଥିବା ୭ ଲୁଟେର ଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ। ସେମାନଙ୍କ ନିକଟରୁ ଚୋରୀ ସାମଗ୍ରୀ ସହିତ ନଗଦ ଟଙ୍କା ଜବତ ହୋଇଛି। ଯାଜପୁର ଟାଉନ ଥାନା ଅଧିନରେ ବିଭିନ୍ନ ସ୍ଥାନରୁ ଚୋରୀ ହୋଇଥିବା ଘଟଣାର ତଦନ୍ତ କରୁକରୁ ପୋଲିସ ଏହି ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ସିସିଟିଭି କ୍ୟାମେରା, ପାଣି ମୋଟର, ୧୪୨ ଗ୍ରାମର ସୁନା ଅଳଙ୍କାର, ୩୨୧ ଗ୍ରାମର ରୁପା ଅଳଙ୍କାର, ନଗଦ ୧୨ ହଜାର ଟଙ୍କା, ଲୁଗାପଟା, ନକଲି ମୋବାଇଲ ଫୋନ ସମେତ ବହୁ ମୂଲ୍ୟବାନ ଜିନିଷ ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ଘର ସ୍ଥାନୀୟ ଲଳିତେଶ୍ୱର, ଶୀତଳେଶ୍ୱର, ଅକରପଡା, କପାସି ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି । ୭ ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୮୦ ଏବଂ ୪୫୭ ଅନୁଯାୟୀ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଯାଜପୁର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସଡିପିଓ ସରୋଜ କୁମାର ଉପାଧ୍ୟାୟ । ଯାଜପୁର ଟାଉନ ଥାନା ଅଧିକାରୀ ଅଜୟ କୁମାର ଜେନାଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଏହି ସବୁ ଜିନିଷ ଜବତ କରାଯାଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଥିଲେ ଏସଡିପିଓ ।





