କ୍ଷତିପୂରଣ ଦାବିରେ ରାସ୍ତାରୋକ
ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ଗୋଡ଼ିପଡ଼ା ନିକଟରେ ଘଟିଥିବା ଦୁର୍ଘଟଣାରେ କ୍ଷତିପୂରଣ ଦାବି କରି ନୟାଗଡ଼ ଓ ଓଡ଼ଗାଁ ରାସ୍ତା ଅବରୋଧ କରାଯାଇଥିଲା । ସୂଚନାନୁସାରେ, ନକୁଳଙ୍କ ଶବକୁ ଅପରାହ୍ନରେ ବ୍ୟବେଚ୍ଛଦ କରାଯାଇ ସଂମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା । ସଂମ୍ପର୍କୀୟମାନେ ଶବ ନେଇ ତ୍ରିନାଥ ଛକଠାରେ ରାସ୍ତା ଉପରେ ରଖି ଟାୟାର ଜାଳି ଅବରୋଧ କରିଥିଲେ । ଶବ ସତ୍କାର ଏବଂ ଅସହାୟ ପୁଅ ଆକାଶ ପାଇଁ ସୁବ୍ୟବସ୍ଥା ଦାବିରେ ଏହି ରାସ୍ତାରୋକ କରାଯାଇଥିବା ବେଳେ ଖବରପାଇ ଘଟଣାସ୍ଥଳରେ ପୁଲିସ ପହଂଚି ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଲୋକେ ଜିଦରେ ଅଟଳ ରହିଥିଲେ । ନୟାଗଡ଼ ଅତିରିକ୍ତ ତହସିଲଦାର ରାସ୍ତାରୋକ ସ୍ଥଳରେ ପହଂଚି ଶବ ସତ୍କାର ପାଇଁ ରେଡକ୍ରସରୁ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରିବା ପରେ ରାସ୍ତାରୋକ ଘଟିଥିବା ଜଣାପଡ଼ିଛି ।

ଏଠାରେ ପ୍ରକାଶ ଯୋଗ୍ୟ, ବସ ଦୁର୍ଘଟଣାରେ ମୃତ ନକୁଳଙ୍କ ପୁଅ ଦଶ ବର୍ଷର ବାଳକ ଆକାଶ ଏକା ହୋଇଯାଇଛି । ମୃତ ନକୁଳ ନାୟକଙ୍କ ପୁଅ ଆକାଶ ନାୟକ ପଞ୍ଚମ ଶ୍ରେଣିରେ ପାଠ ପଢ଼ୁଥିବା ବେଳେ ପୂର୍ବରୁ ତାଙ୍କ ମାଆଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଦୁଇବର୍ଷ ତଳେ ନକୁଳଙ୍କ ପôତୀ ପୂର୍ଣ୍ଣା ନାୟକଙ୍କ ମୃତ ଘଟିଥିବା ବେଳେ ଆକାଶ ଆଜି ଉଭୟ ବାପା ଓ ମାଆ ଛେଉଣ୍ଡ ହୋଇଛି ବୋଲି ସଂମ୍ପର୍କୀୟମାନେ କହିଛନ୍ତି । ଏବେ ଆକାଶ ତାଙ୍କ ମାମୁଁଙ୍କ ପାଖରେ ରହିବ ବୋଲି ଜଣାପଡ଼ିଛି ।






