ଟିଟିଲାଗଡ଼, (ବାଘୁଆବାର୍ତ୍ତା): ବିଭିନ୍ନ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କଠାରୁ ବନ୍ଧୁକ ଦେଖାଇ ଓ ସେମାନଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରୁଥିଲେ। ଗତକାଲି ରାତିରେ ମଧ୍ୟ ବଡ଼ ଧରଣର ଡକାୟତି କରିବାକୁ ଯୋଜନା କରୁଥିଲେ। ଘଟଣାସ୍ଥଳରେ ପହଞ୍ଚିଗଲା ପୁଲିସ୍। ଜଣେ କି ଦୁଇ ଜଣ ନୁହେଁ ଏକାଥରକେ ୭ ଜଣଙ୍କୁ ଗିରଫ କରିଛି ପୁଲିସ। ଏମିତି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ। ସେମାନଙ୍କଠାରୁ ପିସ୍ତଲ, ଖଣ୍ଡା, ଭୁଜାଲି, ଲଙ୍କା ଗୁଣ୍ଡ, ଅନ୍ୟାନ୍ୟ ମାରଣାସ୍ତ୍ର ସହିତ ୩ ଟି ମୋଟର ସାଇକେଲ୍ ଓ ୧୯ ହଜାର ଟଙ୍କା ଜବତ କରିଛି। ଗତକାଲି ରାତିରେ ସଇଁତଳା ପୁଲିସ ପାଟ୍ରୋଲିଂ କରୁଥିଲା। ସଇଁତଳା ଥାନା ଅନ୍ତର୍ଗତ କଳାହାଣ୍ଡି ଛକ ନିକଟରେ ଡକାୟତିମାନେ ବଡ଼ ଧରଣର ଲୁଟପାତ କରିବା ପାଇଁ ଯୋଜନା କରୁଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ସଇଁତଳା ପୁଲିସ ସେହି ସ୍ଥାନରେ ଚଢ଼ାଉ କରି ୭ ଜଣ ଡକାୟତଙ୍କୁ ଗିରଫ କରିଥିଲା। ଅନ୍ୟ ଦୁଇ ଜଣ ଡକାୟତ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲେ। ଏହି ୭ଜଣ ଡକାୟତ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡକାୟତି କରିବା ସହ ରାହାଜାନି କରୁଥିଲେ। ଫାଇନାନ୍ସ କମ୍ପାନୀର କର୍ମଚାରୀମାନଙ୍କୁ ବାଟରେ ଅଟକାଇ ସେମାନଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇ ଓ ବନ୍ଧୁକ ଦେଖାଇ ଟଙ୍କା ଲୁଟ୍ କରୁଥିଲେ। ଏହାସହ ମଦଭାଟି, ବାର ଓ ଜନଶୂନ୍ୟ ସ୍ଥାନରେ ରାହାଜାନି କରୁଥିଲେ। ବଲାଙ୍ଗିର ସଦର, ସଇଁତଳା, ଟିଟିଲାଗଡ଼ ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଥାନାରେ ହୋଇଥିବା ଡକାୟତି ଓ ରାହାଜାନିରେ ଏହି ଦଳ ସମ୍ପୃକ୍ତ ଥିବା ସଇଁତଳା ପୁଲିସ୍ କହିଛି। ଏହି ଅଭିଯୁକ୍ତମାନଙ୍କ ନାଁରେ ବିଭିନ୍ନ ଥାନାରେ ୨୫ରୁ ଅଧିକ ମାମଲା ରହିଛି।





