ନୟାଗଡ଼, (ବାଘୁଆବାର୍ତ୍ତା) : ପିକଅପ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ହେଲେ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଘୁଗୁଡିପଡା ପଂଚାୟତ ଚମ୍ପାଡାଳି ଗ୍ରାମର କାର୍ତ୍ତିକ ପ୍ରଧାନଙ୍କ ପୁଅ ଶ୍ରୀଧର ପ୍ରଧାନ । ସୂଚନାନୁସାରେ, ଶ୍ରୀଧରଙ୍କ ଆସନ୍ତା ୩ ତାରିଖ ଦିନ ବିବାହ ଅନୁଷ୍ଠିତ ହୋଇଥାନ୍ତା । ଏଥିପାଇଁ ସେ ଗତକାଲି ରାତିରେ ଦଶପଲ୍ଲାରୁ ନିମନ୍ତ୍ରଣ କାର୍ଡ ଧରି ବାଇକ ଯୋଗେ ଦୁର୍ଗାପ୍ରସାଦ ସ୍ଥିତ ତାଙ୍କ ମାମୁଁଙ୍କ ଘରକୁ ଯାଉଥିଲେ । ଏହି ସମୟରେ ଦଶପଲ୍ଲା ଅଭିମୁଖେ ଆସୁଥିବା ଏକ ପରିବା ବୋଝେଇ ପିକ୍ଅପ୍ ଗାଡି ତାଙ୍କୁ ଧକ୍କା ଦେଇ ରାସ୍ତା ଉପରେ ଓଲଟି ପଡିଥିଲା । ଘଟଣାସ୍ଥଳରେ ଶ୍ରୀଧରଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ପିକ୍ଅପ୍ ଗାଡିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା । ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଁଚି ଦଶପଲ୍ଲା ଦମକଳ ସହାୟତାରେ ତାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଁଚି ଦୁର୍ଘଟଣା ଗ୍ରସ୍ତ ଦୁଇ ଗାଡି ଏବଂ ଶବକୁ ଜବତ କରିଥିଲା । ଆଜି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଯେଉଁଦିନ ବିବାହ ଉସ୍ôବ ଅନୁଷ୍ଠିତ ହୋଇଥାନ୍ତା ସେଦିନ ଶ୍ରୀଧରଙ୍କ ଦଶାହ କାର୍ଯ୍ୟ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ଏଭଳି ମୃତ୍ୟୁକୁ ନେଇ ଚମ୍ପାଡାଳି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।






