ଓଡ଼ଗାଁ, (ବାଘୁଆବାର୍ତ୍ତା): ଓଡ଼ଗାଁ ବ୍ଲକ କ୍ରାନ୍ତିକାରୀ କ୍ଲବ ଗୋତିସାହିଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।ଅଭିଜ୍ଞଡାକ୍ତରମାନଙ୍କ ଦ୍ୱାରା ମୋତିଆବିନ୍ଦୁ ଓ କମ୍ ଦେଖାଯାଉଥିବା ରୋଗୀଙ୍କ ପରୀକ୍ଷା ନିରୀକ୍ଷା କରାଯାଇଥିଲା।ସୂଚନା ଥାଉ କି ନୟାଗଡ଼ ଭୂମିକା ହସ୍ପିଟାଲ ଏବଂ ଗୋତିସାହି ପଞ୍ଚାୟତର ସହଭାଗିତାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିରରେ ମୋଟ ୬୫ ଜଣ ରୋଗୀ ନିଜର ଚକ୍ଷୁ ପରୀକ୍ଷା ନିରୀକ୍ଷା କରାଇଥିଲେ। ସେଥି ମଧ୍ୟରୁ ୧୮ ଜଣ ରୋଗୀ ମୋତିଆବିନ୍ଦୁରେ ଆକ୍ରାନ୍ତ ହୋଇଥିବାରୁ ସେମାନଙ୍କୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରାଯାଇଛି।ସମସ୍ତଙ୍କୁ ଭୂମିକା ହସ୍ପିଟାଲରେ ଅସ୍ତ୍ରୋପଚାର କରାଯିବ।ଏହି ସମୟରେ ସମସ୍ତ ରୋଗୀଙ୍କ ଯାତାୟାତ ଖର୍ଚ୍ଚ ଓ ରହିବା ଖାଇବା ମାଗଣାରେ କରାଯିବ ବୋଲି ଜଣାପଡିଛି।ସ୍ଥାନୀୟ ସରପଞ୍ଚ ଦୀପ୍ତି ରଞ୍ଜନ ପରିଡାଙ୍କ ଏଭଳି କାର୍ୟ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି। କ୍ଲବ ସଭାପତି ରତିକାନ୍ତ ପରିଡା ଏବଂ କ୍ଳବର ସମସ୍ତ ସଦସ୍ୟ କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ।






