ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟର ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟଗୁଡ଼ିର ନାକ୍ ମାନ୍ୟତା, ଶୈକ୍ଷିକ ନିରୀକ୍ଷଣ, ସ୍ୱୟଂଶାସିତ ମାନ୍ୟତାର ନବୀକରଣ, ଜାତୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ଥିତି ସମ୍ପର୍କରେ ଏକ ଦିନିକିଆ କର୍ମଶାଳା ସ୍ଥାନୀୟ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ମାନ୍ୟବର କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ କରାଯିବା ପାଇଁ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଏଥିପାଇଁ ସକରାତ୍ମକ ଚିନ୍ତାଧାରାରେ କାର୍ଯ୍ୟକରି କର୍ମସଂସ୍କୃତିକୁ ଅଧିକ ଅଭିବୃଦ୍ଧି କରାଯାଇପାରିବ । ସମସ୍ତେ ଏକ ଦଳଗତ ମନୋଭାବ ନେଇ କାର୍ଯ୍ୟ କଲେ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରାଯାଇପାରିବ । ବର୍ତ୍ତମାନର ବ୍ୟବସ୍ଥା ଛାତ୍ରଛାତ୍ରୀ କୈନ୍ଦି୍ରକ ହେବା ସହ ଶୈକ୍ଷିକ ପରିବେଶର ଗୁଣାତ୍ମକ ବିକାଶ କରାଯାଉଅଛି । ଉପର ସୋପାନରୁ ତଳସ୍ତର ପର୍ଯ୍ୟନ୍ତ ସମସ୍ତଙ୍କର ସକି୍ରୟ ସହଭାଗିତା ଓ ସଂପୃକ୍ତି ରହିଲେ ଶିକ୍ଷା ବ୍ୟବସ୍ଥା ସଫଳତାର ଶୀର୍ଷରେ ପହଞ୍ଚି ପାରିବ । ପାରମ୍ପରିକ ବିଚାରଧାରାର ଉର୍ଦ୍ଧ୍ୱକୁ ଯାଇ ସୃଜନଶୀଳ ହେଲେ ଶିକ୍ଷାର ଗୁଣାତ୍ମକମାନର ବିକାଶ କରାଯାଇ ପାରିବ ବୋଲି ଉପସ୍ଥିତ କୁଳପତି, ଅଧ୍ୟକ୍ଷ, ଅଧ୍ୟାପକମାନଙ୍କୁ ସେ ଆହ୍ୱାନ ଦେଇଥିଲେ । ଏଥିପାଇଁ ସେ ମଧ୍ୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ମତାମତ ଲୋଡ଼ିଥିଲେ । ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ନିଜର ବକ୍ତବ୍ୟରେ ଶୈକ୍ଷିକ ପ୍ରକି୍ରୟା ତଥା ଛାତ୍ରଛାତ୍ରୀମାନଙ୍କର ଅଧ୍ୟୟନ, ବ୍ୟବସ୍ଥାର ମୁଖ୍ୟ ଲକ୍ଷ୍ୟ ହେବା ଉଚିତ୍ । ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ସମୟର ପରିବର୍ତ୍ତନ ସହିତ ତାଳ ଦେଇ ନିଜକୁ ପରିବର୍ତ୍ତନ କରିପାରିଲେ ସାଂପ୍ରତିକ ପରିସ୍ଥିତିରେ ଏହା ଅଧିକ ପ୍ରାସଂଗିକ ହୋଇପାରିବ । ଶିକ୍ଷାନୁଷ୍ଠାନର ଶୈକ୍ଷିକ ବ୍ୟବସ୍ଥା ଦୁର୍ବଳଶ୍ରେଣୀର ଛାତ୍ରଛାତ୍ରୀଙ୍କ ପ୍ରତି ଅଧିକ ଯତ୍ନବାନ ହୋଇ ସେମାନଙ୍କର ପାରଦର୍ଶିତାକୁ ପ୍ରକାଶ କରିବା ପାଇଁ ଉପସ୍ଥିତ କୁଳପତି, ଅଧ୍ୟକ୍ଷମାନଙ୍କୁ କହିଥିଲେ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ ସ୍ୱାଗତ ଅଭିଭାଷଣ ଦେବା ସହ ପ୍ରଫେସର ସୁସ୍ମିତ୍ ପ୍ରସାଦ ପାଣି ଧନ୍ୟବାଦ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ, ପ୍ରଫେସର ଅତୁନ ପତି, ପ୍ରଫେସର ମିହିର ଦାସ, ପ୍ରଫେସର ସ୍ୱତାଂଶୁ ରଥ , ପ୍ରଫେସର ଏମ୍. ସୁଆର, ପ୍ରଫେସର ପ୍ରଦୀପ୍ତ ଦାଶ, କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ, କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ, କୁଳପତି ପ୍ରଫେସର ସନ୍ତୋଷ କୁମାର ରଥ, କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ, ପ୍ରଫେସର ସଞ୍ଜୟ କୁମାର ନାୟକ, ପ୍ରଫେସର କିଶୋର ବାସା, ପ୍ରଫେସର କମିଲଜିତ ସିଂହ, ପ୍ରଫେସର ସନ୍ଦୀପ ମିତ୍ତଲ, ପ୍ରଫେସର ଅର୍କଦାସ ମହାପାତ୍ର, ଉମାବଲ୍ଲଭ ମହାପାତ୍ର ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଅଶୋକ ଦାସ କର୍ମଶାଳାର ଉଦ୍ଦେଶ୍ୟ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟଗୁଡ଼ିକର ଆନୁଷ୍ଠାନିକ ବିକାଶ ଯୋଜନା ସମ୍ପର୍କରେ ଏକ ବିଶଦ ବିବରଣୀ ଉପସ୍ଥାପନ କରିଥିଲେ । ପ୍ରଫେସର ମୃତୁ୍ୟଞ୍ଜୟ ସୁଆର ଶିକ୍ଷାନୁଷ୍ଠାନରେ ସୃଜନଶୀଳତା ଓ ଗବେଷଣା କେନ୍ଦ୍ରଗୁଡ଼ିକର ଉନ୍ନତିକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିବା ବେଳେ ଶୈକ୍ଷିକ ନିରୀକ୍ଷଣ ସମ୍ପର୍କରେ ପ୍ରଫେସର ଅତନୁ ପତି ବିବରଣୀ ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତି, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା, ଗୁଣାତ୍ମକ ମାନ କେନ୍ଦ୍ରର ନିର୍ଦ୍ଦେଶକ, ବିଭିନ୍ନ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟକ୍ଷା ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ମାନ୍ୟବର ମନ୍ତ୍ରୀ ଓ ପ୍ରମୁଖ ସଚିବ ଆଲୋଚନା ମାଧ୍ୟମରେ ମଧ୍ୟ ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଶିକ୍ଷାବିତ୍ମାନଙ୍କର ମତାମତ ଗ୍ରହଣ କରିଥିଲେ ।






