ନୟାଗଡ଼ ସାଂସ୍କୃତିକ ମହୋତ୍ସବ ‘ଚିତ୍ରରଙ୍ଗ’ ଉଦଘାଟିତ
ନୟାଗଡ଼, (ବାଘୁଆବାର୍ତ୍ତା) : ରାଗେଶ୍ରୀ ନିଳୟମ ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ନୟାଗଡ଼ ସାଂସ୍କୃତିକ ମହୋତ୍ସବ ଚିତ୍ରରଙ୍ଗ ଆଜି ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି । ନୟାଗଡ଼ ମାଟି କଳା, ସାହିତ୍ୟ ଓ ସଂସ୍କୃତିର ମାଟି ବୋଲି ବିଧାୟକ ମତ ଦେବା ସହ ଏହି ମଂଚ ଏକ ନିଆରା ମଚ ବୋଲି ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ନାଟ୍ୟକାର ଗଦାଧର ନନ୍ଦଙ୍କୁ ମୁଖ୍ୟ ଅତିଥି ସମ୍ଭର୍ଦ୍ଧିତ କରିଥିଲେ । ଆଜି ପଥର ନାଟକ ଦଶମ ଥର ପାଇଁ ମଂଚସ୍ଥ ହେଉଥିବା ନେଇ ଆୟୋଜକ ମାନେ ପ୍ରକାଶ କରିଥିବା ବେଳେ ଏହା ପୂର୍ବରୁ ବିଦେଶରେ ମଧ୍ୟ ମଂଚସ୍ଥ ହୋଇ ସାରିଥିବା ନେଇ ସୂଚନା ଦେଇଛନ୍ତି । ନୟାଗଡ଼ ସହରର କଳାପ୍ରେମୀମାନେ ଏହି ନାଟକରେ ଅଭିନୟ କରିଥିବା ଜଣାପଡ଼ିଛି । ଏଥି ସହିତ ମଧ୍ୟାହ୍ନରେ ଏକ ଚିତ୍ରକଳା ଏବଂ ଫଟୋଗ୍ରାଫି ପଦର୍ଶିତ ହୋଇଥିଲା । ଏହି ପଦର୍ଶନୀକୁ ବ୍ଲକ ଅଧ୍ୟାକ୍ଷା ଗୋଲାପ ଦଳବେହେରା ଏବଂ ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଲୋକାର୍ପିତ କରିଥିଲେ । ରାଗେଶ୍ରୀ ନିଳୟମର ସଭାପତି ପ୍ରଭାତ କୁମାର ଦାଶ ଏବଂ ସଂପାଦକ ଶ୍ରୀଯୁକ୍ତ ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଗଣେଶ ମିଶ୍ର ସଂଯୋଜନା କରିଥିଲେ ।







