ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ତାଲା
ନୟାଗଡ଼, (ବାଘୁଆବାର୍ତ୍ତା) : ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମଧ୍ୟଖଣ୍ଡ ପଂଚାୟତରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ବାଲି କାଦୁଆ ସାହି ଗ୍ରାମର ସରସ୍ୱତୀ ରଣା ଭତାପାଇଁ ଆସି ଫେରିବା ବେଳକୁ ତାଙ୍କ ସଉତୁଣି ବଦନୀ ରଣାଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ଗ୍ରାମବାସୀ ଉତ୍ୟକ୍ତ ହେବା ସହ କିଛି ଘଂଟା ଧରି ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ପଂଚାୟତ କାର୍ଯ୍ୟାଳୟରେ ଅଟକ ରଖିଥିଲେ । ସୂଚନାନୁସାରେ, ଗ୍ରାମର ସ୍ୱର୍ଗତ ଦାମୋଦର ରଣାଙ୍କ ଦୁଇ ପତ୍ନୀ ବଦନୀ ରଣା ଓ ସରସ୍ୱତୀ ରଣା ସ୍ୱାମୀ ମୃତ୍ୟୁ ପରେ ବହୁ ଦୁଃଖ କଷ୍ଟରେ କାଳାତିପାତ କରୁଥିଲେ । ଉଭୟଙ୍କୁ ୧୦ କିଗ୍ରା ଚାଉଳ ଓ ୧ ହଜାର ଟଙ୍କା ଭତ୍ତାରେ ବହୁ କଷ୍ଟରେ ଚଳି ଅଅସୁଥିଲେ । ବଦନୀ ଗତ କିଛିଦିନ ଧରି ଅସୁସ୍ଥ ହୋଇ ରହିଥିଲେ । ଆଜି ସରସ୍ୱତୀ ଉଭୟଙ୍କ ଭତ୍ତା ଖାତା ଧରି ପଂଚାୟତକୁ ଯାଇଥିଲେ । ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭତ୍ତାପାଇଁ ପଂଚାୟତରେ ରହି କେବଳ ୫ଶହ ଟଙ୍କା ଧରି ଘରକୁ ଫେରିବା ବେଳକୁ ସରସ୍ୱତୀ ଆଖି ବୁଜି ଦେଇଥିଲେ । ସାହାରା ବୋଲି କେହି ନଥିବା ବେଳେ ଅପରାହ୍ନ ୩ଟା ରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୃତଦେହ ଘରେ ପଡି ରହିଛି । ଏପଟେ ଭତା ଦେବାରେ ଅବ୍ୟବସ୍ଥାକୁ ନେଇ ଗ୍ରାମବାସୀ ପଂଚାୟତ କାର୍ଯ୍ୟାଳୟରେ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ପ୍ରାୟ ୩ ଘଂଟା ଧରି ଅଟକ ରଖିଥିବା ଜଣାପଡ଼ିଛି ।







