ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଂଚଳର ଜଣେ ଯୁବକଙ୍କୁ କଣାସ ଅଂଚଳରେ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି । ସୂଚନାନୁସାରେ, ଇଟାମାଟି ଗ୍ରାମର ଶ୍ୟାମ ସୁନ୍ଦର ମହାରଣାଙ୍କ ପୁଅ ସଂଜୟ କୁମାର ମହାରଣା ମଙ୍ଗଳବାର ସକାଳୁ ନିଖୋଜ ଥିଲେ । ତାଙ୍କର ମୃତ ଦେହ କଣାସ ଥାନା ଅନ୍ତର୍ଗତ ମୋଟାରୀ ଷ୍ଟେସନଠାରୁ ୧ କିଲୋମିଟର ପୂର୍ବରୁ ଏକ ନିଛାଟିଆ ସ୍ଥାନରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଏବଂ ହଣାଦାଗ ଥିବାରୁ ସଂମ୍ପର୍କୀୟମାନେ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରୁଛନ୍ତି । ତାଙ୍କୁ କୈାଣସି କାରଣରୁ ଅପହରଣ କରି ନିଆଯାଇ ହତ୍ୟା କରାଯାଇଥିବା ସନ୍ଦେହ ସୃଷ୍ଟି ହେଉଛି । ଅନ୍ୟପକ୍ଷେ ସଂଜୟ ନିଖୋଜ ଥିବା ନେଇ ଇଟାମାଟି ଥାନାରେ କୈାଣସି ଅଭିଯୋଗ ହୋଇନଥିବା ଆଇଆଇସି ଶରତ ଚନ୍ଦ୍ର ପାତ୍ର କହିଛନ୍ତି । ପ୍ରକାଶ ଯୋଗ୍ୟ, ସଂଜୟ ନୟାଗଡ଼ ସହରର ଏକ ବ୍ୟାଟେରୀ ଦୋକାନରେ କାମ କରୁଥିଲେ ।






