ବାଲେଶ୍ୱର, (ବାଘୁଆବାର୍ତ୍ତା): ମୋ ଝିଅକୁ ତା’ ରୁମ୍ ପିଲା ଓ ମାଡାମ୍ ମିଶି ମାରି ଦେଇଛନ୍ତି। ମୋ ଝିଅ ଭଲ ପଢ଼ୁଥିବାରୁ ସେମାନେ ତା’ ଉପରେ ହିଂସା କରୁଥିଲେ। ଏଥିପାଇଁ ତାକୁ ମାରି ଦେଇଛନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି ଗତକାଲି ହଷ୍ଟେଲ ସିଡିରୁ ଖସି ପଡ଼ି ମୃତ୍ୟୁବରଣ କରିଥିବା ବାଲେଶ୍ୱର ସହରର ଏକ ଘରୋଇ ଆବାସିକ କଲେଜରେ ପଢ଼ୁଥିବା ମୃତ ଛାତ୍ରୀଙ୍କ ମା’। ଝିଅର ଦେହ ଖରାପ ହେଲେ ହଷ୍ଟେଲ ପକ୍ଷରୁ ଜଣାଯାଏ। ହେଲେ ଝିଅ ହଷ୍ଟେଲ ସିଡିରୁ ଖସି ପଡ଼ିଲା, ସେମାନେ କାହିଁକି ମୋତେ ଜଣାଇଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ତାଙ୍କ ମା’। ଅନ୍ୟପକ୍ଷରେ ଛାତ୍ରୀ ଜଣଙ୍କ ଚାରିମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୁଲିସ ପକ୍ଷରୁ ଆହୁରି କୁହାଯାଇଛି ଯେ, ଛାତ୍ରୀଜଣଙ୍କ ଦୁଇ ଜଣ ସହଯୋଗୀଙ୍କ ଟଙ୍କା ଚୋରି କରିନେଇଥିବା ସେମାନେ ଅଭିଯୋଗ କରିଥିଲେ। ଏଥିପାଇଁ ସେମାନେ ତାକୁ ରାଗିଂ କରିଥିଲେ। ଛାତ୍ରୀ ଜଣଙ୍କ ସତ ମାନି ଟଙ୍କା ଫେରାଇ ଦେଇଥିଲେ। ତା’ପରେ ଛାତ୍ରୀଜଣଙ୍କ ରାତିରେ ହଷ୍ଟେଲ ଛାତ ଉପରକୁ ଯାଇ ଆତ୍ମହତ୍ୟା କରିଥିବା ହଷ୍ଟେଲରେ ଲାଗିଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଥିବା ପୁଲିସ୍ ସୂଚନା ଦେଇଛି। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯାଉ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି। ଏହାସହ କଲେଜ କର୍ତ୍ତୃପକ୍ଷ ମଧ୍ୟ ନିଜ ଆଡୁ ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ଗତକାଲି ବାଲେଶ୍ୱର ସହରର ଏକ ଘରୋଇ ଆବାସିକ କଲେଜର ଯୁକ୍ତ ୨ ଦ୍ୱିତୀୟ ବର୍ଷରେ ପଢ଼ୁଥିବା ଛାତ୍ରୀଜଣଙ୍କ ହଷ୍ଟେଲ ସିଡିରୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ବେଳେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ କୁହାଯାଇଥିଲା। ଏହି ଘଟଣାକୁ ନେଇ ହଷ୍ଟେଲ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରୀଜଣଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ। ପୁଲିସ ପହଞ୍ଚି ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପୁଲିସ ଘଟଣାର ତଦନ୍ତ କରୁଛି। ଯେ ଦୋଷୀ ତା’ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।






