ନୟାଗଡ଼, (ବାଘୁଆବାର୍ତ୍ତା) : ବର୍ଷିଆନ କମ୍ୟୁନିଷ୍ଟ ନେତା ତଥା ସ୍ୱାଧିନତା ସଂଗ୍ରାମୀ ବାସୁଦେବ ଦୋରାଙ୍କ ବିୟୋଗରେ ନୟାଗଡ଼ କେ.ସି କ୍ଲବଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ୧୦୧ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଥିବା ଶ୍ରୀଯୁକ୍ତ ଦୋରା ନୟାଗଡ଼ କୃଷକ ଆନ୍ଦୋଳନ ଏବଂ ଗଣତାନ୍ତ୍ରିକ ଆନ୍ଦୋଳନର ନେତା ଥିଲେ ବୋଲି ମତ ପ୍ରକାଶ ପାଇଛି । ନୟାଗଡ଼ ଅଂଚଳର ଗୁଡ଼ ପେଡ଼ାଖାଇ ଆନ୍ଦୋଳନ, ଚିନିକଳ ଆନ୍ଦୋଳନ ଏବଂ ନୟାଗଡ଼ ଜିଲ୍ଲା ଆନ୍ଦୋଳନରେ ପ୍ରମୂଖ ଅଂଶ ଗ୍ରହଣ କରିଥିବା ନେଇ ମତ ପ୍ରକାଶ ପାଇଛି । ନୟାଗଡ଼ର ଶ୍ରୀଯୁକ୍ତ ଦୋରା ଜଣେ ଅମାୟିକ, ମେଳାପୀ ଓ ପରୋଉପକାରୀ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ନୟାଗଡ଼ ଜଣେ ଜନ ପ୍ରିୟ କୃଷକ ଓ ଶ୍ରମିକର ସାଥିକୁ ହରାଇଲା ବୋଲି ଶ୍ରଦ୍ଧାଞ୍ଜଳୀ ସଭାରେ ସ୍ମୃତି ଚାରଣ କରି ପ୍ରମୂଖ ବ୍ୟକ୍ତିମାନେ ମତ ଦେଇଥିଲେ । ଏହି ସ୍ମୃତି ସଭାରେ ବିଶ୍ୱନାଥ ମହାପାତ୍ର, ଶ୍ରୀକାନ୍ତ ପଟ୍ଟନାୟକ, ଜଗନ୍ନାଥ ପଣ୍ଡା, ଅମିୟ ପଟ୍ଟନାୟକ, ଗୋଲଖ ବିହାରୀ ମୁଦୁଲି ଓ ଶରତ ଚନ୍ଦ୍ର ବେହେରା ପ୍ରମୂଖ ବକ୍ତବ୍ୟ ରଖିଥିଲେ ।






