ନୟାଗଡ଼,(ବାଘୁଆବାର୍ତ୍ତା): ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର ବିଭିନ୍ନ ଜଳାଶୟରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଶେଷ ହୋଇ ଯାଇଛି । ଏହି ଗଣନା କାର୍ଯ୍ୟକ୍ରମରେ ଛାମୁଣ୍ଡିଆ ବନବିଭାଗର ଦୁଇଟି ଟିମ୍ ନିୟୋଜିତ ହୋଇଥିଲେ । ଗଣନା ସମୟରେ ପକ୍ଷୀ ମାନଙ୍କୁ ସିଧା ସଳଖ ଦେଖିବା,ବାଇନାକୁଲାର ସାହାର୍ଯ୍ୟରେ ଦୂରରୁ ଦେଖି ଗଣନା କରିଥିଲେ । ଗଣିଆ ବ୍ଲକର ବଡମୂଳ ମାଳିସାହି ଠାରୁ କୁତୂରି ପର୍ଯ୍ୟନ୍ତ ତଥା ବନାଞ୍ଚଳରେ ଥିôବା ବୃତ୍ତଙ୍ଗ ନଦୀ ଓ ଜଳାଶୟ ଗୁଡିକରେ ଏହି ଗଣନା କରାଯାଇଥିଲା । ଗଣନା ସମୟରେ ପାଣିକୁଆ,ଛୋଟ ପାଣିକୁଆ, ଗେଣ୍ଡାଳିଆ, ଚକୁଆ ଚକୋଇ, ମାଛରଙ୍କା, ରିଭରଟନ, ସ୍ୟାଣ୍ଡିପର୍, ଟେଣ୍ଟେଇ ଆଦି ୨୨ରୁ ଅଧିକ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥିବା ବନାଞ୍ଚଳ ଅଧିକାରୀ ଅଶୋକ ଦାସ ସୂଚନା ପ୍ରଦାନ କରିଛନ୍ତି । ସାତକୋଶିଆରେ ବହୁଳ ଭାବେ ଦେଖା ଯାଉଥିବା ବିଦେଶୀ ପକ୍ଷୀ ଇଣ୍ଡିୟାନ ସ୍କିମର ଚଳିତବର୍ଷ ଦେଖିବାକୁ ମିଳିନଥିବା ବିଭାଗୀୟ ଅଧିକାରୀଙ୍କ ଠାରୁ ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଡେପୁଟି ରେଞ୍ଜର ମାଧବ ଚନ୍ଦ୍ର ନାୟକ, ଫରେଷ୍ଟର ଦିପ୍ତି ରଞ୍ଜନ ଆଚାର୍ଯ୍ୟ, ଗୋଲେଖ ବିହାରୀ ବେହେରା, ଗାୟତ୍ରୀ ପରିଡାଙ୍କ ସମେତ ଅସ୍ଥାୟୀ ବନ କର୍ମଚାରୀ ନିୟୋଜିତ ହୋଇଥିଲେ । ଆସନ୍ତା ୯ ତାରିଖରୁ କୁମ୍ଭୀର ଗଣନା କରାଯିବ ବୋଲି ବିଭାଗୀୟ ଅଧିକାରୀ ଜଣାଇଛନ୍ତି ।






