୪୦ ଶ୍ରମିକ, ୪ ନୂଆ ଗାଡ଼ି ନିୟୋଜିତ
ନୟାଗଡ଼, (ବାଘୁଆବାର୍ତ୍ତା) : ପୈାର ସଫେଇ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପୈାର ପରିଷଦ ପକ୍ଷରୁ ଆଜି ଏକ ନୂତନ ସଂସ୍ଥାକୁ ସଫେଇ ଦାୟିତ୍ୱ ଦିଆଯାଇଛି । କାର୍ଯ୍ୟାଳୟ ପରିସରରେ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ନଡ଼ିଆ ବାଡ଼େଇ ଏହାର ଶୁଭାରମ୍ଭ କରିଛନ୍ତି । ଭୂବନେଶ୍ୱର ସ୍ଥିତ ଗ୍ରୀନ ସର୍କଲ ପ୍ରାଇଭେଟ ଲିମିଟେଡ ନାମକ ସଂସ୍ଥାକୁ ଏହି ଦାୟିତ୍ୱ ଦିଆଯାଇଥିବା ବେଳେ ଏଥିପାଇଁ ୪୦ ଜଣ ଶ୍ରମିକ ଓ ୪ଟି ନୂଆ ଟାଟା ଏସି ଗାଡ଼ି ମଧ୍ୟ ନିୟୋଜିତ ହୋଇଥିବା ସୂଚନା ମିଳିଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, କନିଷ୍ଠଯନ୍ତ୍ରୀ ବିଭୁପ୍ରସାଦ, ଜିଲ୍ଲା ପରିମଳ ବିଶେଷଜ୍ଞ ବିବେକାନନ୍ଦ ପ୍ରଧାନ, ପରିମଳ ନିରୀକ୍ଷକ ଲକ୍ଷ୍ମୀଧର ସାହୁ, ଗ୍ରୀନ ସର୍କଲ ସଂସ୍ଥାର ପରିଚାଳକ ବିକାଶ କୁମାର ସେନାପତି ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ । ଆଗମୀ ଦିନରେ ସହରର ସଫେଇ କାର୍ଯ୍ୟକୁ ଦୁଟି ପର୍ଯ୍ୟାୟରେ କରାଯିବ ବୋଲି ପୈାର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସକାଳ ୬ଟାରୁ ୧୧ଟା ଏବଂ ସଂନ୍ଧ୍ୟା ୬ଟାରୁ ରାତି ୯ଟା ମଧ୍ୟରେ ସଫେଇ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହାର ତଦାରଖ ଦାୟିତ୍ୱ କୈଳାସ ଚନ୍ଦ୍ର ଜେନା, ଲକ୍ଷ୍ମୀଧର ମହାପାତ୍ର, ନଳୀନକାନ୍ତ ମିଶ୍ରଙ୍କ ସମେତ ୧୦ ଜଣ ସ୍ୱଚ୍ଛସାଥିଙ୍କୁ ଦିଆଯାଇଛି ।






