ନୟାଗଡ଼, (ବାଘୁଆବାର୍ତ୍ତା) : ପାରିବାରିକ କଳହର କରୁଣ ପରିଣତ ପାଇଁ ବ୍ୟବେଚ୍ଛଦ ଗୃହ ନିକଟରେ ଦୀର୍ଘ ୬ ଘଣ୍ଟା କାଳ ଜଣେ ନାବାଳକର ଶବ ଷ୍ଟେଚରରେ ଲଦା ହୋଇ ପଡ଼ି ରହିଥିଲା । ଗତକାଲି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ଗ୍ରାମରେ ଟ୍ରାକ୍ଟରୁ ଖସିପଡ଼ି ଚକାରେ ଚାପି ହୋଇଯିବାରୁ ହେମନ୍ତ ବିଶ୍ୱାଳଙ୍କ ପୁଅ ବିଷ୍ଣୁ ବିଶ୍ୱାଳ(୧୪)ଙ୍କ ମୃତ୍ୟୁ ଘଟିଥିଲା । ନୟାଗଡ଼ ଶବ ଗୃହରେ ବିଷ୍ଣୁର ମୃତ ଶରୀର ରଖା ଯାଇଥିବା ବେଳେ ଆଜି ପୁଲିସ ଉପସ୍ଥିତିରେ ଶବ ବ୍ୟବେଚ୍ଛଦ କରାଯାଇଥିଲା । ବ୍ୟବେଚ୍ଛଦ ପରେ ଶବକୁ ବଡ଼ବାପା ଶରତ ବିଶ୍ୱାଳ ମହାପ୍ରାୟାଣ ଗାଡ଼ିରେ ନେବା ପାଇଁ ପ୍ରସ୍ତତି ଚଳାଇଥିବା ବେଳେ ବିଷ୍ଣୁଙ୍କ ମାଆ ନିରୁପମା ବିଶ୍ୱାଳ ଏବଂ କିଛି ସଂମ୍ପର୍କୀୟ ଏହାକୁ ବିରୋଦ୍ଧ କରିଥିଲେ । ସେମାନଙ୍କ କହିବାନୁସାରେ, ଚାରିବର୍ଷ ହେବ ବିଷ୍ଣୁଙ୍କ ବାପା ହେମନ୍ତ ଏବଂ ମାଆ ନିରୁପମା ପାରିବାରିକ କଳହ କାରଣରୁ ଅଲଗା ରହୁଥିଲେ । ବାପା କିମ୍ବା ମାଆ ବଦଳରେ ପୁଲିସ କେଉଁଭଳି ଜଣେ ବାହାର ଲୋକଙ୍କୁ ଶବ ହସ୍ତାନ୍ତର କରୁଛି ବୋଲି ସଂମ୍ପର୍କୀୟମାନେ ପ୍ରଶ୍ନ କରିବା ସହ ଏହାକୁ ବିରୋଧ କରିଥିଲେ । ବିଷ୍ଣୁଙ୍କ ବାପା ଆସି ଶବ ନେବାକୁ ନିରୁପମାଙ୍କ ସଂମ୍ପର୍କୀୟ ତଥା ବିଷ୍ଣୁଙ୍କ ଅଜାଘର ପରିବାର ଲୋକେ ଦାବି କରିଥିଲେ । ଦୀର୍ଘ ୬ ଘଣ୍ଟା ଧରି ବ୍ୟବେଚ୍ଛଦ ଗୃହ ସାମ୍ନାରେ ଏକ ଷ୍ଟ୍ରେଚରରେ ଶବ ଲଦା ହୋଇ ରହିଥିଲେ ମଧ୍ୟ ହେମନ୍ତ ଏଠାକୁ ଆସି ନଥିଲେ । ଏହାକୁ ନେଇ ନିରୁପମାଙ୍କ ସଂମ୍ପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । କିଛି ସଂମ୍ପର୍କୀୟ ଏନେଇ ଟାଉନଥାନାକୁ ଯାଇ ଅଭିଯୋଗ କରିବାକୁ ତତ୍ପର ହୋଇଥିବା ବେଳେ ଉପସ୍ଥିତ ପୁଲିସ ସେମାନଙ୍କୁ ବୁଝାଶୁଝା କରିଥିଲେ । ବଡ଼ବାପା ଶରତ ବିଶ୍ୱାଳଙ୍କୁ ଶବ ହସ୍ତାନ୍ତର କରିଛି ।






