ପଢ଼ନ୍ତୁ ଡିଲେସ୍ୱର ରାଣାଙ୍କ ଏକ ଚତ୍ମକାର ଗପ
ଭୋଦୁଅ ଆକାଶର ସିର୍୍ସିର୍ ଧାରେ ଜହ୍ନ ଆଲୁଅ ଖପରଲି ଛାଉଣୀର ଗୋଟେ କଣା ଦେଇ ଗଳିପଡ଼ୁଚି କୁର୍ମାର ବାଁ ଗାଲରେ । ନିଦ ଥରଥର ପେଜୁଆ ଆଖିରେ ଢୁଳେଇ ପଡୁପଡୁ ପୁଣି ଚେତିଯାଉଚି । ଆଖିର ନିଦ ହଜିଯାଉଛି ପ୍ରତିଥର ଆଖିରେ । କରୁଣ ଭାବରେ ଚାହିଁରହିଥିବା ଚନ୍ଦରର ଗୋଡ଼ ଦି’ଟା କୋଳରେ ଧରି ବସିିିିିିିିିିିିିିିିିିିିିିିିିିିିପଡ଼ିଛି ଖଟର ଗୋଟେ ମୁଣ୍ଡରେ । ତିନି ସପ୍ତାହ ହେଲା ଏମିତି ଉଜାଗରରେ କଟୁଚି ରାତି । କେତେବେଳେ ଅଂଧାର ଓ ଉକିଆର ଅଦଳବଦଳ ଖେଳ ଚାଲିଛି, ସେଥକୁ କୁର୍ମାର ଗୋଚର ନାହିଁ । ଦିନରାତି ଲାଗୁଛି ଏକାଭଳି । ସକାଳ ଆସୁଛି, ସଂଜ ଆସୁଛି । ବେଳ ଉଦୁଛି, ବେଳ ବୁଡୁଛି । କେବଳ କୁର୍ମା ପେଟରେ ଭୋକ ବୋଲିବା ଚିଜ ଉଭାନ ହୋଇଛି । ନିଦ ନାମକ ଓଷଧ ପଶୁନି ଦେହରେ । କେମିତି ହେଲେ ଥୟ ଧରିପାରନ୍ତା ଯେ, ଭେଣ୍ଡା ତେଇଶ ବର୍ଷିଆ ପୁଅଟା ତୋରାଣୀ ପଶେ ଦୂରେ ଥାଉ,ପାଣି ମୁନ୍ଦେ ବି ପାଟିକୁ ନେଇ ପାରୁନି ଯେତେବେଳେ । କି ନଦେଖିଲା ରୋଗ ହେଲା ହୋ ଚାରିମୁଲକରେ ଦେଖିନଥିଲା କେବେ । ତା ବାପ ଅଜା ସାତପୁରୁଷ ଅକାଳସକାଳରେ କେବେ ଏମିତିଆ ରୋଗର ଟେର୍ଟାର୍ ନଥିଲା । ଗାଲ ଭିତରପଟୁ ମାଉଁସ ଖେପି ଆସିଲାଣି ପାଟିର ଅଧା ଅଂଶ ଯାଏଁ । ମାଉଁସ ବଢୁନାହିଁ ଯେ ସାମ୍ରାଜ୍ୟ ବିସ୍ତାର କରୁଛି ପାଟି ଭିତରେ । କଳ ଦାନ୍ତ ଦି’ଟା ଭାଙ୍ଗି ଥୁଇହେଲାଣି ଜିଭ ଉପରେ । ଲାଗୁଛି ଝାଏଁକରି ଉଜୁଡ଼ିଯିବ ଅବଶିଷ୍ଟ ଦାନ୍ତ । କଳାକାଠ ପଡ଼ିଗଲାଣି ଫୁଲ ପରି ଦେହ । ଦେହରେ ଶୀରି ବୋଲିବା ଜିନିଷ ଟିକେ ବି ନାହିଁ । ଗୋରା ତକ୍ତକ୍ ଦେହ କୁଆଡ଼େ ଗଲା କେଜାଣି ବଡ଼ ବିକଳ ଲାଗୁଚି ତା ମୁଁହ ଦେଖିଲେ । ମାହାପ୍ରୁ, ଦେଖିପାରିବିନି ଆଉ! ଜଲ୍୍ଦି ପାର କରିଦିଅ,ତରିଯାଉ କହିଲା କୁର୍ମା ଦୁଇହାତ ଯୋଡ଼ି । ଯେଉଁ ପୁଅ ପାଇଁ ଖଞ୍ଜିଥିଲା ସ୍ୱପ, ସେଟା ଦିଶିଆସୁଥିଲା ମଳିନ, ଶ୍ରୀହୀନ ।
କଳା କିଟ୍କିଟ୍ ଅନ୍ଧାର ତାକୁ ଫେରେଇନଉଥିଲା ପଛକୁ ବହୁ ପଛକୁ ।
ଜାଲିକବାଟରୁ ଛିଙ୍ଗ୍୍ଲୁଥିବା ଥିରଥିର ପବନରେ ମିଟ୍୍ମିଟ କରୁଚି ଡିବିରି ଆଲୁଅ । ବାହାରେ ତୁୁହାକୁ ତୁହା ବର୍ଷା । ଗନ୍ଥା ପାରିଥିବା ଭୂଇଁରେ ଶୋଇରହିଛି କୁର୍ମାର ବଡ଼ଭାଇ । ଥିର କି ଲିତାଟେ ଗଲେ ପେଟ ପୂରନ୍ତା! ସେତକ ବି ନେଇପାରୁନି ମୁଁହରେ । ଅମଲ୍ ଉଠେଇଲା ପରି ଫୁଲେଇ ଦେଉଛି ତାର ପେଟ । ଯାହା ପାଟିକୁ ନେଲା ଅକ୍ ଅକ୍ କରି ବାନ୍ତି କରି ପକେଇଲା । ପାଣି ମୁନ୍ଦେ ବି ଅଲ୍ଜେଇ ପାରିଲାନି ପେଟରେ । ଦୁଇପୁର୍ଷିଆ ବରକସ୍ ମଣିଷଟେ ଦିନ କେଇଟାରେ ହିଞ୍ଜିରି ଗଲାଣି । କୁଆଜୁଲ୍ ଦେଖିଲା ପରଠୁ କି ପେଟଦୁଖା ଧରିଲା ଯେ ଛାଡ଼ିବାର ନାଁ ଗନ୍ଧ ଧରୁନାହିଁ । ବିଛଣାକୁ ଲାଗି ଦୁଆରବଂଧରେ ପିଠି ଆଉଜେଇ ବସିଛି କୁର୍ମାର ଭାଉଜ । କୋଳରେ ଗାମୁଛାରେ ଘୋଡ଼େଇ ଧରିଛି ଚାରିମାସର କଅଁଳା ଛୁଆ । ଆଖିରୁ ଝରୁଥିବା ଧାରଧାର ଲୁହ ସବୁ ଶୁଖିଗଲାଣି ଗାଲରେ । ବିଚାରି କର୍ମକୁ ଆଦରି ଛଳଛଳ ଆଖିରେ ଠଅଁକାଇଛି ତା ଘଇତାର ଶୁଖିଲା ମୁଁହକୁ । ବେଳକୁ ବେଳ ବଢିଆସୁଥିଲା ପେଟର ଯନ୍ତ୍ରଣା । ଫାକିଆସୁଥିଲା ଅନ୍ଧାର । ଆହୁରି ମିଟ୍୍ମିଟେଇ ଉଠୁଥିଲା ଡିବିରି । ସରିଆସୁଥିଲା ତା ଭିତରର ମାଟିତେଲ । ସକାଳ ହେବା ଆଗରୁ ଡିବିରି ଲିଭିଗଲା । ମାଇପ,ଦୁଇଛୁଆ ଓ କୁର୍ମାକୁ ଠକିଦେଲା,ସେଇ ମରଣ ସହ ଲଢୁଥିବା ମଣିଷଟି ।
ଯିଏ ଯିବା କଥା ତ ସେ ଯାଇସାରିଥିଲା ଆରପାରିକି । କ’ଣ ଆଉ କରିପାରନ୍ତା କୁର୍ମା? ସମାଜର ରିକ୍ମା ଅନୁସାରେ ଦଶଦିନରେ ଦଶାହ କରି ଗତିମୁକ୍ତି ହେଲା ବନ୍ଧୁ କୁଟୁମ୍ବଠାରୁ । ସାହା କି ଭରସାର ଥଳକୂଳ ପାଉନଥିଲା । ବାଟ ଦେଖେଇବାର ଲୋକ ଦିଶୁନଥିଲେ । ଗୋଟିଏ ବୋଲି ଭାଇ ଥିଲା ଯେ ତାକୁ ବି ଦଇବ ସହିଲା ନାହିଁ । ଅଦିନରେ ତାକୁ ବି ଛଡ଼େଇ ନେଇଗଲେ । ତାକୁ ଅନ୍ଧାର ଦିଶୁଥିଲା ଚାରିଦିଗ । ଭାଉଜ ଓ ଦୁଇଛୁଆର ଭବିଷ୍ୟତ କଣ ହେବ ହେଜିପାରୁନଥିଲା । ଭାଇ ସିନା ଚାଲିଗଲା ଆରପାରିକି ଅଚିନ୍ତାରେ କିନ୍ତୁ ଛାଡ଼ିଦେଇଗଲା ଲେଞ୍ଜରା, ତା’ର ଦୁଇ ଛୁଆ ଓ ମାଇପ । ବନ୍ଧୁକୁଟୁମ୍ବମାନେ ଏବେ ବୁଝଉଥିଲେ କୁର୍ମାକୁ,ଭାଉଜକୁ ବାହାହେବାକୁ । କେମିତି ବିଭା ହେବ ତା’ଠୁ ଦଶ ବଛର ବଡ଼ ଭାଉଜକୁ, ଯାହାକୁ ସେ ମା ପରି ଦେଖିଆସୁଥିଲା । ନା, ସେ ବାହା ହେବ । ଘରର ମାନମହତକୁ ଦୁଆରେ ପଡି଼ବାକୁ ଦେବନି । ପିଲା ଦୁଇଟାକୁ ଅନାଥ ହେବାକୁ ଦେବନି । ବାପା କଣ ଜାଣିବା ଆଗରୁ ହରେଇସାରିଥିବା ବାପା ସ୍ନେହସରାଗରୁ ବଂଚିତ କରିବନି ପିଲାମାନଙ୍କୁ । ଚନ୍ଦରି ଓ ଚନ୍ଦରକୁ ଗୋଟାପଣେ ବାନ୍ଧିନେଇଥିଲା ତା ନିବିଡ଼ ଆଲିଙ୍ଗନରେ । ଯାହାର ହାତରେ ହାତ ଛନ୍ଦି ସାରାଜୀବନ ଜୀଇଁବାର ରାଣ ଖାଇଥିଲା ପାଟଖଣା ଗୁଡ଼ିରେ, ସେ ଖାଲି ରହିଗଲା କୁର୍୍ମାର ମନରେ । ମାସେ ପରେ ଶୁଣିଲା ସାପ କାମୁଡ଼ାରେ ଝିଅଟି ମରିଯାଇଥିଲା । ହେଲେ କଥାଟା ଦୁସ୍୍ରା ବୋଲି ଜାଣିଲା- ଯେଉଁଦିନ ଝିଅର ହାତଲେଖା ଚିଠିଟି ତା ପାଖରେ ଆସି ପହଞ୍ଚିଲା । ତାକୁ ସାପ କାମୁଡ଼ିନଥିଲା, ମୂଷା ମରା ବିଷରେ ଜୀବନ ହାରିଦେଇଥିଲା; କୁରମାର ବିଭାଘର କଥା ଶୁଣି । ପ୍ରଭୁ, ମାଫ୍ କରିଦେବ ମତେ! ଧାରେ ଲୁହ ଖସିଆସିଲା କୁର୍ମା ଆଖିରୁ ।
କୁର୍ମା ଏବେ ମାତିଯାଏ ତା ନୂଆ ସଂସାରରେ । ନର୍ଲାରୋଡ଼ ରାଇସ୍୍ ମିଲ୍ରେ ହେମାଲ୍ କାମ କରେ । ବସ୍ତା ବସ୍ତା ଧାନ ଲୋଡ୍ ଅନ୍୍ଲୋଡ୍ ହୁଏ ଦିନସାରା । ସପୁର୍ ଚାଉଳ ସବୁ ପେକିଙ୍ଗ କରାହୁଏ । ସକାଳ ଆଠରୁ ଯାଏ ଯେ ସଂଜରେ ମଜୁରୀ ଧରି ଫେରେ । ସେଇ ପଇସାରେ ଜୀଏଁ ଗୋଟେ ତେଲ ଲୁଣର ସଂସାର । ଦି’ଛୁଆ ସେବେଳକୁ ଶୋଇପଡ଼ିଥାନ୍ତି । ସେମାନଙ୍କ ନିଦ ଭାଙ୍ଗି ଖୁଏଇଦିଏ କିଣି ଆଣିଥିବା ସିଙ୍ଗଡ଼ା । ଏଇଟା ହିଁ ତ ତାର ନିତିଦିନିଆ ଜୀବନ । ମିଲ୍ରୁ ଘର,ଘରରୁ ମିଲ୍ ।
ପିଲା ଦି’ଟାଙ୍କୁ ଏତେ ଗେଲ ଆଦର କଲା ଯେ ତା’ ଆଡ଼ୁ ଆଉ ପିଲାପିଲି ବି କଲାନି । ଦୁଃଖ ନଥିଲା, ବୋଧେ ତା’ ଭାଇର ଛୁଆମାନଙ୍କ ପାଇଁ ତାର ନିର୍ମାଣ ହୋଇଥିଲା । ଛୋଟରୁ ରୋଟ୍ ହେଲେ ଚନ୍ଦରି ଓ ଚନ୍ଦର । କଳା ହେଲେ ବି ଚନ୍ଦରିର ଦେହରେ ଲେସିହେଉଥିଲା ଗୋଟେ ତୋଫା ପଣର ସୁଗନ୍ଧ । ଘର ମାଡୁମାଡୁ ବଛର ଗୋଟାଏରେ ପଡ଼ାର କମିଆ ପିଲା କ୍ରିଷ୍ଣା ହାତରେ ଛନ୍ଦି ଦେଇଥିଲା । ଏକ୍ଲା ରହିଗଲା ଚନ୍ଦର୍ । ସତର ବର୍ଷ ଛୁଉଁ ଛୁଉଁ ବାପ ସାଙ୍ଗରେ ସେ ବି ମିଲ୍କୁ କାମ କରିବାକୁ ଗଲା । ବାପର ପାହାରେ ପାହା ମିଳେଇଲା । ଗୋରା ତକ୍ତକ୍ ମୁଁହ, ନହନହକା ବାହୁ, ଚଉଡ଼ା ଛାତିରେ ବାରିହେଇପଡ଼ୁଥିଲା ଗୋଟେ ଯୌବନର ତାରୁଣ୍ୟ । ଗୋଟେ ବାହା ହେବାର ବୟସ, ବିଭା ହେବାର ଲକ୍ଷଣ । ଅ।।ଉ ଡେରି କରିନଥିଲା କୁର୍ମା । ବାଛି ବାଛି ଘରକୁ ଢୁକେଇଥିଲା ବୋହୂଟେ ।
ପୁଅକୁ ହାତକୁ ଦି’ହାତ କରିଦେଲା ପରେ କୁର୍ମା କାମକୁ ଯାଉନଥିଲା । ତା’ର ବାପଦାଦି ଠାରୁ ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ଲୁହରା କାମ କରୁଥିଲା । ବେଳ ଉଦି ଦୁଇଘଡ଼ି ଯାଇଥିବ ତାର କମାର ଶାଳରେ ଗରଗର ନିଆଁ ଜାଳିବ । ତା ମାଇପ ଶାଳ ଧରିଲାବେଳେ ସେ ଲୁହା ଟାଙ୍ଗୀ ଟାଙ୍ଗିଆ, ଗଇଁତି ପଜେଇବ । ଅଭାବରେ ଛାଡ଼ିଥିବା ବେଉସା ସହ ପୁଣି ଥରେ ସେ ଭାବ ବାନ୍ଧୁଥିଲା । ସେ ଯାହା ସେଥିରୁ ଅରଜିଲେ ବି କାହାକୁ ଜୋର୍ କରି କିଛି ପାଉଣା ମାଗୁନଥିଲା । ପୁଅର କମେଇରେ ହିଁ ଚଳୁଥିଲା ଘର । ସୁଖରେ କଟୁଥିଲା ଦିନ । ଦେହରେ ଯାହା ଟିକେ ଦିଶିଆସିଲାଣି ବାର୍ଦ୍ଧକ୍ୟର ଚିହ୍ନବର୍ଣ୍ଣ । ଦଇବର ଲିଖନ ବଡ଼ ବିଚିତ୍ର । କାହା ଭାଗ୍ୟରେ କ’ଣ ଲେଖିଥାଏ କେଜାଣି । ସୁଖ ଆସିଲେ ଧସେଇ ପଶେ, ଦୁଃଖ ବି । ଆଗ ପଛ ହୋଇ ସଦାବେଳେ ଚାଲିଥାନ୍ତି ଦୁହେଁ । କୁର୍ମାର ଜୀବନରେ ପୁଣି ଖେଳିଗଲା ଦୁଃଖର ଲହଡ଼ି । ଚନ୍ଦର ଘଷା ପୁଡ଼ିଆ ଖିଆରୁ କଥାଟା ଯେ ଏତେ ଗୁରୁତର ହେବ, କିଏ ଅବା ଜାଣିଥିଲା । ଡେବିରି ଗାଲ ଭିତରେ ଘା’ଟେ ଚରିଗଲା, ଆଉ ଛାଡ଼ିବାର ନାଁ ଧରିଲାନି । ରୋଗ ପହିଲା କରି ଯେତେବେଳେ ଉକୁଟିଲା ଦାନ୍ତକାଠି ଘଷିଲା ବେଳେ ରକତ ବାହାରିଲା । ଦିନ ଦିନ କରି ସାତଦିନ ବାହାରିଲା । କାହାକୁ କିଛି କହିଲା ନାହିଁ ପିଲାଟା । କଳଦାନ୍ତର ଠିକ୍ ଉପରେ ବୃତ୍ତାକାର ଭାବେ ଫାଟି ରକତ ଜରଜର ଦିଶୁଥିଲା । ଦିନେ କାଠି ଘଷିସାରିଲା ପରେ ସେଇ ଜାଗାକୁ ଗେଞ୍ଜିଦେଲା କାଠି ଅଗରେ । ନିଥିରିଆସିଲା ରକତ । ଭାବିଲା ଛାଡ଼ିଯିବ ଏଥର । ଛାଡ଼ିବ କ’ଣ ଆଉରି ଆଉରି ବଢ଼ିଆସିଲା ଘା’ । ଓଲଟା ୟା ପରେ ବି ସେ ଓଷୋ ପତର କହୁଛି ଖାଇ ତୁମ୍ ପଡ଼ି ଦେଇଥିଲା । ଏତେବେଳ ଯାକେ ବି ସେ ପୁଡିଆଖିଆ ଛାଡ଼ିନଥିଲା ।
କେତେ ଓଷୋ ପତର ପାଣି ଫାଟିଗଲା । ଦୁଇ ମାସ ଗଡ଼ିଗଲା ତଥାପି କମିବାର କମିବାର କୌଣସି ଲକ୍ଷଣ ଦିଶୁନଥିଲା, ବରଂ ରୋଗ ବଢ଼ି ଆସୁଥିଲା ।
ଘା’ ଯେତେବେଳେ କାଟିବା ଆରମ୍ଭିଲା ସେ ଗାଁ ସ୍କୁଲ୍ର ପରିଡ଼ା ସାର
ଭବାନୀପାଟଣାରେ ଦୁଇଥର ଦେଖେଇସାରିବା ପରେ ଡାକ୍ତର କହିଲେ- କଟକ ନିଅ । କଟକ ଯିବ ଡାକ୍ତରଖାନା ? ସେଇଟା ପୁଣି ଡାକ୍ତରଖାନା କାମରେ । କି ମୁସ୍କିଲ୍ ରୋଗ ଧରିଲା! ତା’ ବଅଁଶରେ ପରା କେହି କଟକ ଯାଇନାହାନ୍ତି । ମାହାପ୍ରୁ! ନୁରିଖିଆ କୁକୁରର ପାଟି ଘା’ ।
କଟକ ସହର ବୋଇଲେ କେମିତି ତା’ ଧୁକ୍ଧୁକି ଜୋର୍ ଜୋର୍ରେ ବଢ଼ିଯାଉଥିଲା । ସେଥର ଭବାନୀପାଟଣା ଯାଇଥିଲା ଯେ ବାଟଭୁଲି ଇଆଡ଼େ ସେଆଡ଼େ ହଉଥିଲା, ଭାଗ୍ୟକୁ ଗାଁର କିଛି ଲୋକ ଦେଖା ହେଲେ ବୋଲି । ଗୋଟା ଭବାନୀପାଟଣା ସହରରେ ତ ହଜିଯାଉଚି, ଆଉ କଟକ! ମୁଣ୍ଡରେ ହାତ ଦେଲା କୁର୍ମା । କପାଳକୁ ନିନ୍ଦୁଥିଲା । କଟକ ଯିବ । ସହର ଡାକ୍ତରଖାନା ବିଷୟରେ ଜାଣିଥିବା ଲୋକଟେର ସଙ୍ଗ ଦରକାର । ଗାଁ ଇସ୍କୁଲର ପରିଡ଼ା ସାର୍ଙ୍କୁ କାକୁତି ମିନତି ହେଲାପରେ ସେ ରାଜି ହେଲେ ।
ମାଇପର ନାକଡଣି ଓ ବୋହୂର କର୍ଣ୍ଣଫୁଲ ବନ୍ଧା କରି ଟଙ୍କା ପାଞ୍ଚହଜାର ହାତରେ ଧରି ବାହାରିଲେ ତିନି ଜଣ । ସରକାରୀ କେନ୍ସର୍ ଡାକ୍ତରଖାନାରେ ଦେଖେଇଲେ । ଡାକ୍ତର ପହିଲା ଖୁବ୍ ଗାଲି କଲେ । ରୋଗ ବଢ଼ିଯାଇଥିବା ଆଶଙ୍କା କରି କାଗଜଟେ ଲେଖି ପଠେଇଦେଲେ ପରୀକ୍ଷାଗାର ଯିବାକୁ । ଚନ୍ଦରର ରୋଗ ଜାଗାରୁ ମାଉଁସ ଟୁକୁଡ଼ା ଖଣ୍ଡେ କାଟି ନେଲେ ପରୀକ୍ଷା ପାଇଁ । ପରୀକ୍ଷା ପର ରିପୋର୍ଟ ଦେଖି ଡାକ୍ତର କହିଲେ- ତୁମ ପୁଅକୁ କେନ୍ସର୍ । ଏଠି ଅପରେସନ୍ ହେଇ ପାରିବନି । ଭେଲୋର ନିଅ ।
କଥାଟା ଶୁଣି ଝାଇଁଝାଇଁ କଲା ତା’ ମୁଣ୍ଡ । କିନ୍ଦ୍ରି ଯାଉଥିଲା ଚାରିଦିଗ ।ଭେଲୋର ଯିବାକୁ ତା’ ଅଣ୍ଟାରେ ବଳ ନଥିଲା ।
ପ୍ରାଇଭେଟ୍ରେ ଅପରେସନ୍ କରିବାର ଦମ୍ ନଥିଲା । କମ୍ ସେ କମ୍ ଦୁଇ ତିନି ଲକ୍ଷରୁ କମ୍ ନୁହଁ ।
ଥରିଉଠୁଥିଲା ତା’ର ଦେହ । ହଲିଯାଉଥିଲା ତା’ର କଲିଜା । ଶାଙ୍କୁଡ଼ି ଯାଉଥିଲା ଭିତରେ ଭିତରେ । ଗୁମୁରି ଗୁମୁରି କାନ୍ଦି ଉଠୁଥିଲା ତା’ର ଅନ୍ତରାତ୍ମା । ଗୋଟା ପରିବାର ବି ବିକ୍ରିହେଲେ, ଏତେ ଟଙ୍କା ଯୋଗାଡ଼ କରିପାରିବନି । ନିରୁପାୟ ହୋଇ ଗାଁକୁ ଫେରିଆସିଥିଲେ । ଘରେ ଚେରିମୂଲୀ ଓଷୋପତର କରିଥିଲା, କାଳେ ଠିକ୍ ହେଇଯିବକି ଏଇ ଆଶାରେ ।
ଗୋଟେ ଯୁଗ ପରି ଯେମିତି ସପ୍ନି ଗଲା । କୁଆଁ ତରା ଉଦୁଉଦୁ ଗଞ୍ଜାର କଁ କ…ରେ କଁ ଡାକରେ ହେତୁ ପାଇଲା । ଫିକାପଡ଼ିଆସୁଥିବା ଅନ୍ଧାରରେ ଚନ୍ଦର ଆଖିରୁ ଫିସ୍ଲି ଆସୁଥିଲା ଧାରଧାର ଲୁହ । ମୁଁହରେ ଛାଇଆସୁଥିଲା କଳା ବାଦଲ୍ । ତା’ର ସେଇ ଗତିରୂପ କୁଆଡ଼େ ଗଲା କେଜାଣି ; ସରୁସରୁ ହାତ ଗୋଡ଼,ହାଡୁଆ ଦେହ ଓ ଶୁଖିଲା ମୁଁହରେ ଅବିକଳ ଗୋଟେ କଙ୍କାଳ ପରି ଦିଶୁଥିଲା । ସେମିତି ପାଦକୁ ଘଷିଘଷି ବସିଚି କୁର୍ମା । ଭିତର ବଖରାରେତଳେ ଜନମ୍ ହୋଇଥିବା ଚନ୍ଦରର ପୁଅକୁ କୋଳେଇ ଧରିଛି ତା’ର ମା ।
ପାହି ଆସୁଥିଲା ସକାଳ । ଗଲା କିଛି ଦିନ ହେଲା କହିପାରୁନଥିବା ପାଟିରେ ଏବେ କିଛି କିଛି ଫିଟୁଥିଲା । ତଥାପି ମା,ବାପା ଛଡ଼ା ତୃତୀୟ ଶବ୍ଦ ପଇଟୁନଥିଲା । ତାପରେ ଦୁଇ ତିନିଥର ମା,ମା ଡାକି ଦାନ୍ତ କାମୁଡ଼ି ଆଖି ବୁଜିଦେଲା । ବାସ୍, ସମାପ୍ତ ହୋଇଗଲା ଗୋଟେ ଜୀବନ ତେଇଶ ବର୍ଷ ତିନି ମାସ ସାତ ଦିନରେ ।
କାନ୍ଦ ବୋବାଳିରେ ଉଠିପଡ଼ିଥିଲା ସମଗ୍ର ଗାଁ । ସତେ ସେ କାନ୍ଦ ମାଟି ଫଟେଇ ଚାଲିଯାଉଥିଲା ପାତାଳକୁ । ଗଗନ ପବନ ଭେଦି ମାଡ଼ିଯାଉଥିଲା ଅନ୍ତରୀକ୍ଷକୁ । କୋକେଇରେ ଲଦା ହୋଇ ମଶାଣିଆଡ଼େ ବୁହା ଚାଲିଥିଲା । କେଡ଼େ ଭାଗ୍ୟ କରିନଥିଲା ହୋ! ଯିଏ କାନ୍ଧ ଦେବ ବୋଲି ଭାବିଥିଲା, ତାକୁ ଏବେ କାନେ୍ଧଇ ବାଟ ଚାଲୁଥିଲା କୁର୍ମା । ପୁଅକୁ କାନେ୍ଧଇଲା ବେଳେ ଲାଗୁଥିଲା ଯେମିତି ପୃଥିବୀର ସବୁ ଓଜନଟା ଏବେ ତା ଉପରେ ।
ଧୂଧୂ ଜଳୁଥାଏ ଚିତା । ପୋଡ଼ିଯାଉଥାଏ ଯେତେ ତା’ର ଯାବତୀୟ ଦୁଃଖ ଓ ରୋଗ । ମେଞ୍ଚାମେଞ୍ଚା କଳା ଧୂଆଁ ହୋଇ ପହଁରିଯାଉଥାଏ ତା’ର ନିଶ୍ୱାସ ଶୂନ୍ୟରେ । ଘିଅ ପରି ତରଳୁଥାଏ ତା’ ଦେହରେ ଜମାଟ ବାନ୍ଧିଥିବା ପାଣି । ଚନ୍ଦରର ମାମୁଁ କୁହୁଳୁଥିବା ବେଁଟ୍ ଲେଦାରେ ବିଡ଼ି ପହଁଟଉ ପହଁଟଉ କହୁଥିଲା-
ଇଟା ମୋର ଜଏଁକେ ଦୁଃଖ ସିନା,ମୋର ବହେନ୍କେ ପୁଷ୍ଲା, ମୋର ଭନ୍ଜାକେ ପୁଷ୍ଲା, ଏବେ ତା’ର ନାତିକେ ପୁଷ୍ବା ।
ଗୋଟେ କାନ୍ଦ କାନ୍ଦ ସ୍ୱର ବାରି ହୋଇ ପଡ଼ୁଥିଲା ସେ କଥାରେ ।
ମଶାଣି ଘାଟରେ କୁଟୁମ୍ବମାନେ ମହୁଲି ପିଉପିଉ କୁର୍ମାକୁ ସାନ୍ତ୍ୱନା ଦେଉଥିଲେ । ଧଇର୍ଯ୍ୟ ଦଉଥିଲେ । ମହୁଲି ପତ୍ରେ ପାଟିକୁ ନଉ ନଉ ଖଳଖଳେଇ ଉଠୁଥିଲା ଗୋଟେ ବାପ ହୃଦୟ । ଭୋ ଭୋ କିନା କାନ୍ଦି ପକେଇଲା । ଆଖିରୁ ନିଥିରିପଡ଼ିଲା କଞ୍ଚାଲୁହ । ତଥାପି ସାହସର ଡେଣା ଖଞ୍ଜୁଥିଲା । ମଜ୍ବୁତ କରୁଥିଲା ତା’ କାନ୍ଧ । କିଏ ଅଛି ଯେ ତା’ ପରିବାରର ବୋଝ କାନେ୍ଧଇବ । ପୁଣି ତାକୁ ଆଉ ଗୋଟେ ପିଢ଼ିର ବୋଝ କାନ୍ଧ କରିବାର ଅଛି ।






