ଭୂବନେଶ୍ୱର, (ବାଘୁଆବାର୍ତ୍ତା ବ୍ୟୁରୋ) : ଚାଉଳ ସମେତ ସମସ୍ତ ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କଠାରୁ ପ୍ରଶଂସନୀୟ ବିବେଚିତ ହୋଇଛନ୍ତି । ଏହା ସହିତ ଜାତୀୟ ପୁରସ୍କାର ପାଇଛନ୍ତି । ୨୦୧୬-୧୭ ବର୍ଷ ପାଇଁ ସମୁଦାୟ ଖାଦ୍ୟଶସ୍ୟ ଶ୍ରେଣୀ-୨ରେ ଓଡ଼ିଶା ଏହି ସମ୍ମାନ ପାଇଛି ବେଙ୍ଗୁଲର ନିକଟସ୍ଥ ତୁମକୁରଠାରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କୁ ଏକ ଟ୍ରଫି ସହ ଏକ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି । ରାଜ୍ୟ କୃଷିମନ୍ତ୍ରୀ ଡ. ସାହୁ କୃତଜ୍ଞତା ଜଣାଇବା ସହିତ ଚାଷୀମାନେ ଆମ ଅର୍ଥନୀତିର ମେରୁଦଣ୍ଡ, ସେମାନଙ୍କ ଉନ୍ନତୀ ଓ ସ୍ୱାର୍ଥ ରଖିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶୃତି ବଦ୍ଧ ବୋଲି କହିଛନ୍ତି । ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ଓ ଚାଷୀଙ୍କର ଆୟ ଦ୍ୱିଗୁଣିତ କରିବା ପାଇଁ ଯେଉଁ କୃଷିନୀତି କରାଯାଇଛି ଏହା ଅତି ଉଚ୍ଚକୋଟିର ବୋଲି କହିଛନ୍ତି । ପ୍ରକାଶ ଥାଉ କି, ରାଜ୍ୟ ସରକାର ୬ଷ୍ଠ ଥର ପାଇଁ ଏହି କୃଷି କର୍ମଣ ପୁରସ୍କାର ପାଇଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର, ଡ. ଏମ୍ ମୁଥୁକାର ପ୍ରମୂଖ ଉକ୍ତ ଉତ୍ସବରେ ଯୋଗ ଦେଇଥିଲେ ।







