ନୟାଗଡ଼, (ବାଘୁଆବାର୍ତ୍ତା) : ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କୁଲୁରୁକୁମ୍ପା ଛକ ନିକଟରେ ଟ୍ରକ ପଛକୁ ଏକ ବୋଲେରୋ ଧକ୍କା ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତିରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ମୁସଲିପାଙ୍ଗା ଉଷାଗାଡୁ ଗ୍ରାମରୁ (ଓଡି ୧୨ ୩୬୬୪) ବୋଲେରୋ ଯୋଗେ ୭ ଜଣ ବ୍ୟକ୍ତି ପୁରୀ ବାହାରିଥିଲେ । ରାତିପ୍ରାୟ ୨ଟା ସମୟରେ କୁଲୁରୁକୁମ୍ପା ଛକ ନିକଟସ୍ଥ ରାସ୍ତା ପାଶ୍ୱର୍ରେ ଟ୍ରକ ଠିଆ ହୋଇଥିବା ବେଳେ ବୋଲେରୋଟି ଦ୍ରୃତ ବେଗରେ ଆସି ଧକ୍କା ଦେଇଥିଲା । ଆହତ ମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଦଶପଲ୍ଲା ଓ ନୟାଗଡ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ସେଠାରେ ଉଷାଗାଡୁ ଗ୍ରାମର ମାନସିଂ ବଗାରଙ୍କୁ ମୃତ ଘୋଷଣା କରିଥିଲେ । ବାଣିଗୋଛା ପୁଲିସ ଖବରପାଇ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହ ମୃତ ବ୍ୟକ୍ତିଙ୍କ ଶବକୁ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।






