ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦରର ରୈାପ୍ୟ ଜୟନ୍ତୀ ଦ୍ୱିତୀୟ ଦିବସର ସମାରୋହରେ ମୁଖ୍ୟଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗ ଦେଇ ଜୀବନର ପ୍ରତ୍ୟେକ ମୂହୂର୍ତ୍ତ ମହାପ୍ରଭୃ ଶ୍ରୀ ଜଗନ୍ନାଥଙ୍କ ଉପହାର ବୋଲି କହିଥିଲେ । ଅନନ୍ତ ସମ୍ଭାବନାର ଆଧାର, ଏହି ସମ୍ଭାବନାକୁ ବାସ୍ତବତାରେ ପୂରଣ କରିବା ଅନ୍ତର୍ନିହିତ ଚେତନାକୁ ଜାଗ୍ରତ କରିବା ପାଇଁ ରାଜ୍ୟପାଳ ଉପଦେଶ ଦେଇଥିଲେ । ଭାରତ କେବଳ ଏକ ଭୂଗୋଳ ନୁହେଁ ଜୀବନ୍ତ ଦେବୀ, ବିବିଧତା ଭିତରେ ଏକତା । ଭାରତର ଶାନ୍ତି ଓ ସୈାନ୍ଦର୍ଯ୍ୟ, ତତ୍ୱ ଓ ଦର୍ଶନକୁ ଯିଏ ସ୍ୱୀକାର କଲେ ସେ ଯେଉଁ ଦେଶରେ ରହୁ ନା କାହିଁକି, ସେ ଜଣେ ଭାରତୀୟ । ଭାରତର ଏହି ମହାନତାକୁ ଶ୍ରେୟ କରି ଛାତ୍ରଛାତ୍ରୀମାନେ ଆଗେଇ ଚାଲ ବୋଲି ଅଭିଭାଷଣ ରଖିଥିଲେ । ପ୍ରକୃତି ହେଉଛି ମହାପ୍ରଭୃଙ୍କର ଦୃଶ୍ୟମାନ ବସ୍ତ୍ର, ପ୍ରକୃତି ଭିତରେ ରହିଲେ ହୃଦୟରେ ଜ୍ଞାନ ପରିମାର୍ଜ୍ଜିତ ହୁଏ ବୋଲି ରାଜ୍ୟପାଳ କହିଥିଲେ । ଏଥିସହିତ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇ ରାଜ୍ୟପାଳ ସୂର୍ଯ୍ୟ ସହ ଚମକିବାକୁ ହେଲେ ସୂର୍ଯ୍ୟ ଭଳି ଜଳିବାକୁ ହେବ ବୋଲି କହିଥିଲେ । ସମସ୍ତଙ୍କୁ ଭଲପାଅ, ପ୍ରେମ, କରୁଣା ଏବଂ ଅତିଥି ଦେବ ନମଃକୁ ଜୀବନର ବ୍ରତ ଭାବେ ପାଳନ କର ବୋଲି ଉପଦେଶ ଦେଇଥିଲେ । ରାଜ୍ୟପାଳ ତାଙ୍କ ପାଣ୍ଠିରୁ ବିଦ୍ୟାଳୟକୁ ୨ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଥିଲେ ।






